କନକବ୍ୟୁରୋ : ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨ ରୁ ୩ ଦିନ ଯାଏଁ ଏହା ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ପ୍ରଭାବରେ ଆଜି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଆଜି ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ସମ୍ବଲପୁର । ଘଡ଼ଘଡ଼ି ସହିତ ବିଜୁଳି ହେବାର ସମ୍ଭାବନା ରହିଛି । ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନଙ୍କୁ କହାଯାଇଛି । ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ବି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରୀ ହୋଇଛି ।