କନକ ବ୍ୟୁରୋ: ପୁଣି ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟାରେ ଅବପାତର ରୂପ ନେବ । ପ୍ରଭାବରେ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ବିଭାଗ । ବିଶେଷକରି ଆସନ୍ତାକାଲି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି । ୨୪ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୩ ଜିଲ୍ଲା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର(ମ୍ୟାପ୍)କୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ଏସଆରସି । ୧୯ ଅଗଷ୍ଟ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ଲଘୁଚାପ । ଲଘୁଚାପ ସକ୍ରିୟ ଥିଲେ ବି ବିଶେଷ ବର୍ଷା ହେଉନାହିଁ। ଦୁର୍ବଳ ଲଘୁଚାପ କାରଣରୁ ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କିନ୍ତୁ ଆଗକୁ ଆସୁଥିବା ଲଘୁଚାପ ଏହି ନିଅଣ୍ଟିଆ ସ୍ଥିତିକୁ ଭରଣା କରିବ ବୋଲି ଆଶା କରାଯାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଅଗଷ୍ଟ ୨୩ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ପରେ ୧ ଜୁନରୁ ୧୭ ଅଗଷ୍ଟ ୨୦୨୫ ମଧ୍ୟରେ ରାଜ୍ୟରେ ୭୦୭.୦ ମିଲିମିଟର ବର୍ଷା ହୋଇଛି । ଯାହାର ସ୍ୱାଭାବିକ ମୂଲ୍ୟ ୭୬୦.୦ ମିଲିମିଟର। ଏହି ସମୟ ମଧ୍ୟରେ ୨ଟି ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜରେ ଯଥାକ୍ରମେ ୧୦୦୬.୯ ଓ ୯୯୪ ମିଲିମିଟର ବର୍ଷା(ମ୍ୟାପ) ରେକର୍ଡ ହୋଇଛି । ୯ଟି ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଯାଜପୁର (ମ୍ୟାପ)ରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି । ଏହି ୧୧ଟି ଜିଲ୍ଲାକୁ ଛାଡ଼ିଲେ ବାକି ୧୯ଟି ଜିଲ୍ଲାରେ ସ୍ବଭାବିକ ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆସୁଥିବା ଲଘୁଚାପ ପ୍ରଭାବରେ କେତେ ବର୍ଷା ହେଉଛି, ନିଅଣ୍ଟିଆ ସ୍ଥିତିକୁ କେତେ ଭରଣା କରୁଛି ତାହା ଆଗକୁ ସ୍ପଷ୍ଟ ହେବ ।