କନକ ବ୍ୟୁରୋ :  ପ୍ରେମରେ ପଥର ତରଳିଯାଏ, ମାଟିର କଣ୍ଢେଇ କଥା ବି କୁହେ... ଯେବେ ମଣିଷ ଭିତରେ ପ୍ରେମ ମରିଯିବ, ପ୍ରୀତି ସରିଯିବ, ସେଦିନ ସିଏ ବୁଢ଼ା ହେଇଯିବ । ପ୍ରେମରେ ସବୁକିଛି ଜିତିହୁଏ । ଯାହା ଓଠ କହିପାରେନି ତାହା ଆଖି କହିଦିଏ । ସେହି ଆଖି ଅଭିମାନର ଭାଷାକୁ ଶବ୍ଦରେ ସିଇଁ ସାହିତ୍ୟ ମଞ୍ଚକୁ ପ୍ରେମମୟ କରିଥିଲେ ଅତିଥି କବି ଓ ଗାଳ୍ପିକ । ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଚତୁର୍ଦ୍ଦଶ ସନ୍ଧ୍ୟା 'ପ୍ରେମ ସାହିତ୍ୟ'କୁ ଉତ୍ସର୍ଗ କରାଯାଇଥିବା ବେଳେ ପ୍ରେମିକ କବି ମାୟାଧର ମାନସିଂଙ୍କୁ ଆଜିର ପ୍ରେମମଞ୍ଚ ସମର୍ପିତ ହୋଇଥିଲା । 

Advertisment

ଆଜିର କାର୍ଯ୍ୟକ୍ରମକୁ  ବିଶିଷ୍ଟ ନୃତ୍ୟଗୁରୁ ଅରୁଣା ମହାନ୍ତି ଉଦଘାଟନ କରିବା ସହ ନିଜ ଆଶୀର୍ବଚନରେ କହିଥିଲେ, “ନୃତ୍ୟ ଶବ୍ଦ ଓ ଅଭିଜ୍ଞତା ଉପରେ ଆଧାରିତ । ନୃତ୍ୟ-ସଂଗୀତ ସାହିତ୍ୟ ଉପରେ ଆଶ୍ରିତ । ପ୍ରେମ ବିନା ନୃତ୍ୟ ସୃଷ୍ଟି ହୁଏନି ।“ ଏହି ଅବସରରେ ଓଡ଼ିଶା ଡ୍ୟାନ୍ସ ଏକାଡେମି କଳାକାରଙ୍କ ଦ୍ବାରା ମଞ୍ଚରେ ଆବାହନୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ଆଜିର ମଞ୍ଚରେ ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’, ‘ଚିଠି ମୋର ଟିକି ଚଢ଼େଇ’ ଓ ‘ଯାଯାବର ମନ‌ ମୋର’ ଅଧିବେଶନରେ ପୁସ୍ତମ ଯୁଆ‌ଡ଼ି, ବିଚିତ୍ରା ଦାସ, ବିମଳ ପତି, ଚିତ୍ତରଂଜନ ପୃଷ୍ଟି, ମଧୁସୂଦନ ରାଉତରାୟ, ଜ୍ୟୋତିରଂଜନ ସାହୁ, ଆନ୍‌ପା ମାର୍ଣ୍ଡି, ଶଶାଙ୍କ ପ୍ରିୟସଖା, ଜିତୁ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ, ବନ୍ଦନା ମିଶ୍ର କବିତା ଆବୃତ୍ତି ଓ କ୍ଷୁଦ୍ରଗଳ୍ପ ପଠନ କରିଥିବା ବେଳେ ସତ୍ୟଜିତ ଦାସଙ୍କ କବିତା ପାଠ କରିଥିଲେ ଆର୍‌ଜେ ପୂଜା । 

ପ୍ରେମର ସନ୍ଧ୍ୟାକୁ ଆହୁରି ପ୍ରେମମୟ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ବିବୁ ଦାସ । ତାଙ୍କ ସୁମଧୁର ସ୍ୱର ଓ ପ୍ରେମ ସଙ୍ଗୀତରେ ଝୁମିଥିଲେ ଦର୍ଶକ । ‘ସାରସ୍ବତ ସମାଜ’ ସମେତ ଅନ୍ୟ ଲେଖକ ଓ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ମଞ୍ଚ ପରିଚାଳନା କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ଆକାଂକ୍ଷା ପଟ୍ଟନାୟକ । ଆଜି ବରଗଡ଼, ବାଲେଶ୍ବର, ପୁରୀ, ଯାଜପୁର, କଟକ, ନୟାଗଡ଼, ଆଦି ଭିନ୍ନ ଭିନ୍ନ ଜିଲ୍ଲାରୁ ଲେଖକମାନେ ସାମିଲ ଥିଲେ । ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ଦହିବରା-ଆଳୁଦମ୍ ପରଷା ଯାଇଥିଲା ।