କନକ ବ୍ୟୁରୋ : ସତରେ ପ୍ରେମର ସଂଜ୍ଞା କଣ? ପ୍ରେମର ସଂଜ୍ଞା ଖୋଜୁଥିବା ମଣିଷଙ୍କ ପାଇଁ ଉଦାହରଣ ପ୍ରେମର ପଥିକ ସାଜିଥିବା ଦୁଇ ଦିବ୍ୟାଙ୍ଗଙ୍କ ନିଆରା ପ୍ରେମ କାହାଣୀ। ଭଦ୍ରକ କାଳୀପୂଜାରେ ଦେଖା। ସେଇ ପ୍ରଥମ ଦେଖାରୁ ଆରମ୍ଭ ହୁଏ ପ୍ରେମ। ବାଲେଶ୍ୱର ସୋର ଥାନା କୁଢେଇ ଗାଁର ଜିତେନ୍ଦ୍ର ବେହେରା। ସାଙ୍ଗମାନଙ୍କ ସହ ଭଦ୍ରକ କାଳୀପୂଜା ଦେଖିବା ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାରୁ କାଳୀପୂଜା ବୁଲି ଆସିଥିବା ଲିଲି ବିଶ୍ୱାଳଙ୍କ ସହ ଭେଟ ହୁଏ। ଫୋନ ନମ୍ବର ଦେବା ନେବା ପରେ ଆରମ୍ଭ ହୋଇଥିଲା କଥାବାର୍ତା ଏବଂ ଉଭୟଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ। ଜିତେନ୍ଦ୍ର ଲିଲିଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଲିଲି ଉଭୟ ଜିତେନ୍ଦ୍ର ଓ ଲିଲି ଦୁନିଆକୁ ଠିକ ଭାବରେ ଦେଖିନାହାନ୍ତି । ଉଭୟ ୯୫ ପ୍ରତିଶତ ଦୃଷ୍ଟି ବାଧିତ । ଦୁଇ ପ୍ରେମ ପକ୍ଷୀ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ହୃଦୟରୁ ଭଲପାଇବା ଦୁହିଁଙ୍କୁ ବିବାହ ବନ୍ଧନ ରେ ବାନ୍ଧି ଦେଇଛି । ଝିଅର ପରିବାର ଲୋକ ସହମତି ଦେଲେ ନାହିଁ । ତେଣୁ ଘର ଛାଡ଼ି ଜିତେନ୍ଦ୍ରଙ୍କ ପାଖକୁ ଚାଲି ଆସିଥିଲେ ଲିଲି । ଜିତେନ୍ଦ୍ର ଓ ଲିଲିଙ୍କ କାହାଣୀ ଶୁଣିସାରିବା ପରେ ଜିତେନ୍ଦ୍ରଙ୍କ ବାପା କରୁଣାକର ବେହେରା ବିବାହ କରାଇଛନ୍ତି । ପରିବାର ଲୋକ ଏବଂ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବୈଦିକ ରୀତି ନୀତିରେ ସୋର କୋଶେଳେଶ୍ଵର ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଛି। ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ଦୁହେଁ ସାତ ଜନ୍ମର ସାଥୀ ହୋଇଛନ୍ତି ।