କନକ ବ୍ୟୁରୋ : ପବିତ୍ର ଅକ୍ଷୟ ତୃତୀୟାରେ ପୁରୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ରଥଖଳାରେ ଆରମ୍ଭ ହୋଇଛି ନୀତି । ସେପଟେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା । ଏହା ୨୧ ଦିନ ଧରି ଚାଲିବ । ସ୍ବତନ୍ତ୍ର ମଣି ବିମାନରେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଥାନ୍ତି ।

Advertisment

ଆରମ୍ଭ ହୋଇଛି ରଥ ଅନୁକୂଳ । ବିଧି ମୁତାବକ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିଟି ଧଉରା କାଠକୁ ସ୍ତୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା କରିଥିଲେ । ମଧ୍ୟାହ୍ମ ଧୂପ ପରେ  ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ ଏକ ବିରାଟ ପଟୁଆରରେ ବିଜେ କରିଥିଲେ ଆଜ୍ଞାମାଳ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ତିନିଟି ଆଜ୍ଞାମାଳ ଆଣି ତିନିଟି ଧଉରା କାଠ ଉପରେ ରଖିଥିଲେ । ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରଥ ନିର୍ମାଣ । 

ଆଜିଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଗ୍ରୀଷ୍ଣତାପରୁ ରକ୍ଷା ପାଇବା ପାଇଁ ମଣିଷ ଯେପରି ଗାଧୋଇ ଟିକିଏ ଥଣ୍ଡା ଅନୁଭବ କରେ, ସେହିପରି ଶ୍ରୀଜିଉ ମଧ୍ୟ ଆଜିଠାରୁ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥାନ୍ତି ଚାପ ଖେଳିବା ପାଇଁ । ମଣି ବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କୁ ନରେନ୍ଦ୍ର ପୁଷ୍କରିଣୀକୁ ଆଣିଥାନ୍ତି ସେବାୟତ । ରାମକୃଷ୍ଣଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ମଧ୍ୟ ବିଜେ କରନ୍ତି । ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଚକଡ଼ା ଓ ମନ୍ଦିରକୁ ଆଲୋକ ମାଳାରେ ସଜା ଯାଇଛି । ଶ୍ରୀକ୍ଷେତ୍ରରେ ଏହି ବିଶେଷ ପର୍ବପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଭଗବାନଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଉଠିଛି ପୁରୀ ।