କନକ ବ୍ୟୁରୋ: ତୁଟିଲା ବିବାଦ, ସ୍ବାଭାବିକ ହେଲା ନୀତିକାନ୍ତି। ୪୫ ଘଣ୍ଟା ପରେ ପ୍ରଭୁ ଲିଙ୍ଗରାଜଙ୍କୁ ମିଳିଲା ନ୍ୟାୟ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ବଡୁ ଓ ବ୍ରାହ୍ମଣ ନିଯୋଗ ଭିତରେ ବିବାଦର ସମାଧାନ ହୋଇଛି। ଅନ୍ୟପଟେ ଯେଉଁ ସେବାୟତଙ୍କ ପାଇଁ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହୋଇଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ସେପଟେ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ।
- ୪୫ ଘଣ୍ଟା ଉପାସ ରହିଲେ ଲିଙ୍ଗରାଜ
- ଟ୍ରଷ୍ଟବୋର୍ଡ ବୈଠକ ପରେ ସ୍ବାଭାବିକ ନୀତିକାନ୍ତି
ସୋମବାର ସନ୍ଧ୍ୟାରୁ କ୍ଷୀର ଆଉଟା ନୀତି ପରଠାରୁ ମକର ମଣ୍ଡପରେ ବସିଥିଲେ ମହାପ୍ରଭୁ ଲିଙ୍ଗରାଜ। ବଡୁ ଓ ବ୍ରାହ୍ମଣ ନିଯୋଗ ଭିତରେ ବିବାଦ ଯୋଗୁଁ ଦୀର୍ଘ ୪୫ଘଣ୍ଟା ଧରି ଉପାସରେ ରହିଥିଲେ ଠାକୁର। ବାରମ୍ବାର ବୈଠକ ସତ୍ବେ ବି ଦୁଇ ନିଯୋଗ ନିଜ ନିଜ ଜିଦରେ ଅଟଳ ରହିବା ଯୋଗୁଁ ବାହାରି ପାରୁନଥିଲା ସମାଧାନର ବାଟ। କିନ୍ତୁ ସକାଳେ ଆଇନମନ୍ତ୍ରୀଙ୍କ କଡା ଚେତାବନୀ ପରେ ଅପରାହ୍ନରେ ବସିଥିବା ଟ୍ରଷ୍ଟବୋର୍ଡ ବୈଠକରେ ସମାଧାନର ବାଟ ବାହାରିଛି। ଏଥିସହ ସ୍ବାଭାବିକ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି।
ପ୍ରଭୁ ଲିଙ୍ଗରାଜ ନୀତିକାନ୍ତିରେ ବାରମ୍ବାର ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି। ଯେକୌଣସି ବଡ଼ ପୂଜା ସମୟରେ ବିବାଦ ଯୋଗୁଁ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଘାତ ଦେଉଛି। କିନ୍ତୁ ଏଥର ନୀତି ବିଭ୍ରାଟ କାହିଁକି ହେଲା? ନୀତି ବିଭ୍ରାଟ ପାଇଁ କିଏ ଦାୟୀ? ତାର ତଦନ୍ତ ହେବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେତାକୁ ନିଷ୍ପତି ହୋଇଛି।
ତେବେ ବାରମ୍ବାର ବିବାଦ ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ। କହିଛନ୍ତି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରାଯିବ। ଏହି କମିଶନ ଦୁଇ ମାସ ଭିତରେ ବିଭିନ୍ନ ନିଯୋଗ ଠାରୁ ତଥ୍ୟ ସଂଗ୍ରହ ସହ ପୂର୍ବ ସରକାରୀ ତଥ୍ୟକୁ ମିଶାଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବେ। ଏହି ସ୍ବତ୍ତ୍ବ ଲିପି ବା ରେକର୍ଡ ଅଫ୍ ରାଇଟ୍ ଲାଗୁ ହେବା ପରେ ସେବାକୁ ନେଇ ରହିବ ନାହିଁ ଦ୍ବନ୍ଦ୍ବ। ଏଠି ପ୍ରଶ୍ନ ଉଠୁଛି, ବାରମ୍ବାର ସେବାୟତ କଳି ହେଉଛି କାହିଁକି? ଏହାର ସ୍ଥାୟୀ ସମାଧାନ ହେବ କେବେ?