କନକ ବ୍ୟୁରୋ :ସେ ଭାବର ଠାକୁର , ଭିଡ଼ର ଠାକୁର...ସେ ମୋ କାଳିଆ ସୁନା । ସମସ୍ତେ ଏ କଥା ଜାଣନ୍ତି ଯେ ତାଙ୍କୁ ନ କହିଲେ ବି ସେ ମନ କଥା ବୁଝିପାରନ୍ତି । ସେଇଥିପାଇଁ ତ କୁହାଯାଏ ଭକତ ଭାବରେ ବନ୍ଧା ପ୍ରଭୁ ଜଗନ୍ନାଥ । କେତେବେଳେ କେଉଁ ରୂପରେ ନିଜ ଭକ୍ତଙ୍କ ପାଖରେ ପହଞ୍ଚିଛନ୍ତି ତାହାର ମାୟା କେହି ପାଇପାରି ନାହାନ୍ତି । ସେମିତି ଜଣେ ଭକ୍ତଙ୍କୁ ବ୍ରାହ୍ମଣ ରୂପରେ ଆସି ସୁନା ଥାଳିରେ ଖାଇବାକୁ ଦେଇଥିଲେ କାଳିଆ ସାଆନ୍ତ । ଯାହା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ ଘଟଣା । ଭକ୍ତର ଦୁଃଖ ଦେଖିପାରୁ ନଥିବା ଠାକୁର ସେ ।
ଉନ୍ନବିଂଶ ଶତାବ୍ଦିର କଥା , ଯାଜପୁରର ବନ୍ଧୁ ମହାନ୍ତି..ପତ୍ନୀ ଦୁଇ ଝିଅ ଓ ପୁଅକୁ ନେଇ ପରିବାର । ବିଶେଷ ଜମିବାଡ଼ି ନଥିବାରୁ ଘୋର ଆର୍ଥିକ ଅନାଟନରେ ଚଳୁଥିଲେ । କିନ୍ତୁ ଅଭାବ ଅନାଟନ ସତ୍ତ୍ୱେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ସବୁ ଅସୁବିଧା ସମୟରେ ସେ ତାଙ୍କ ପତ୍ନୀଙ୍କୁ କହୁଥିଲେ ଚିନ୍ତା କରନା ଶ୍ରୀକ୍ଷେତ୍ରରେ ମୋର ଜଣେ ବନ୍ଧୁ ଅଛନ୍ତି , ସେହିଁ ଆମର ସବୁ ଦୁଃଖ ଦୂର କରିଦେବେ ( ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କୁହନ୍ତି ) । ଦିନେ ଘରେ ଚାଉଳ ନଥିଲା , ଦୁଇଦିନ ଚୂଲି ନ ଜଳିବାରୁ ପୂରା ପରିବାର ଭୋକରେ ରହିଲେ । ଏହାପରେ ମହାନ୍ତିଙ୍କ ପତ୍ନୀ କହିଲେ , ସବୁବେଳେ ତ କହୁଛ ପୁରୀରେ ତୁମର ଜଣେ ଭଲ ବନ୍ଧୁ ଅଛନ୍ତି । ଥରେ ଯାଇ ଦେଖା କରି ଆମକୁ କିଛି ସାହାଯ୍ୟ କରିବାକୁ କହୁନ । ପତ୍ନୀଙ୍କ କହିବା ଅନୁସାରେ ଜଗନ୍ନାଥଙ୍କୁ ଦୁଃଖ ଜଣେଇବା ପାଇଁ ପରିବାର ସହ ଶ୍ରୀକ୍ଷେତ୍ର ଯିବାକୁ ବାହାରିଲେ ।
ପ୍ରତ୍ୟେକ ଦିନ ଶ୍ରୀ ମନ୍ଦିରରେ ବିଭିନ୍ନ ପ୍ରକାରର ଉପଚାର କରାଯାଏ । ସେଦିନ ମଧ୍ୟ ମନ୍ଦିରରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରୋଷହୋମ, ମଇଲମ, ଅବକାଶ, ସକାଳ ଧୂପ ଆଦି ଅନେକ ନିତି ସରିଲା ପରେ ମଧ୍ୟାହ୍ନ ଧୂପ ସରିଲା । ପରେ ଠାକୁରଙ୍କର ପହଡ଼ ନୀତି । ପହଡ଼ ଖୋଲାଯାଇ ସନ୍ଧ୍ୟା ଆଳତି ହେବା ସମୟରେ ଭକ୍ତ ବନ୍ଧୁ ମହାନ୍ତି ପହଞ୍ଚନ୍ତି ମନ୍ଦିର ସମ୍ମୁଖରେ । ମାତ୍ର ପ୍ରବଳ ଗହଳି ହେତୁ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିଲେନାହିଁ ଏବଂ ଦର୍ଶନ ମଧ୍ୟ ମିଳିଲା ନାହିଁ । ଏତେ ବାଟରୁ ଯାଇ ଭଗବାନଙ୍କ ଦର୍ଶନ ପାଇପାରି ନଥିବା କାରଣରୁ ମନ ଦୁଃଖ ଥାଏ ବନ୍ଧୁ ମହାନ୍ତିଙ୍କର । ଏପଟେ ଭୋକରେ ଅସ୍ତବ୍ୟସ୍ତ ମଧ୍ୟ ଲାଗୁଥାଏ ତାଙ୍କୁ । ଦକ୍ଷିଣ ଦ୍ୱାର ନିକଟରେ ଥିବା ପେଜନଳା ନିକଟରେ ବସି ରହିଲେ । ବହୁତ ଭୋକ ହେବାରୁ ମହାନ୍ତିଙ୍କ ପରିବାର ପେଜ ପିଇ ସେହିଠାରେ ଶୋଇ ପଡ଼ିଲେ ।
ଭକ୍ତ ଅଖିଆ ଅପିଆ ମନ୍ଦିର ସମ୍ମୁଖରେ ବସିଥିବାରୁ ଭଗବାନଙ୍କୁ ଭାରି କଷ୍ଟ ହେଲା । ଅର୍ଦ୍ଧ ରାତ୍ରରେ ଜଣେ ବ୍ରାହ୍ମଣ ଆସି ଡାକ ପକାଇଲେ ହେ ମୋର ଯାଜପୁରିଆ ବନ୍ଧୁ ଉଠ...ଉଠ , ହଠାତ୍ ନିଦ ଭାଙ୍ଗିଯାଏ ବନ୍ଧୁଙ୍କର । ଦେଖନ୍ତି ଜଣେ ବ୍ରାହ୍ଣଣ ଆସି ସୁନା ଥାଳିରେ ଖାଇବା ବଢ଼େଇ ଦେଲେ । ବ୍ୟସ୍ତ ହୋଇ ପଚାରିଲେ ବନ୍ଧୁ ମହାନ୍ତି , କିଏ ତୁମେ ? ମୋ ପାଇଁ ଏ ଦିବ୍ୟ ଥାଳିରେ ଖାଇବା ଆଣିଛ ? ବ୍ରାହ୍ମଣ ଜଣଙ୍କ ଉତ୍ତର ଦିଅନ୍ତି , ଭୋକରେ ଅଛ ଖାଇବା ଆଣିଛି ଖାଇ ଦିଅ । ଏହା ପରେ କହିଲେ ବନ୍ଧୁ କାହିଁକି ଖାଲି ପେଟ ରହିବ ? ପେଟ ପୂରା ଖାଇଦିଅ । ଏତିକି କହି ସେଠାରୁ ଫେରିଗଲେ । ଏପଟେ ଭୋକରେ ଥିବା ବନ୍ଧୁ ମହ ମହ ବାସୁଥିବା ମହାପ୍ରସାଦକୁ ମନଭରି ଖାଇବାକୁ ଲାଗିଲେ । ଖାଇ ସାରି ଯେତେବେଳେ ଥାଳି ଫେରାଇବାକୁ ବ୍ରାହ୍ମଣଙ୍କୁ ଖୋଜନ୍ତି ଆଉ ପାଇଲେ ନାହିଁ ।
ରାତି ପାହି ସକାଳ ହେଲା , ରତ୍ନ ସିଂହାସନ ପାଖରେ ସୁନା ଥାଳି ନ ମିଳିବାରୁ ଶ୍ରୀକ୍ଷେତ୍ର ସାରା ହୁରି ପଡ଼ିଲା ମହାପ୍ରଭୁଙ୍କ ସୁନା ଥାଳି ଚୋରି ହୋଇଯାଇଛି । ଏହି ଖବର ରାଜାଙ୍କ ପାଖରେ ପହଞ୍ଚଲା । ବହୁତ ଖୋଜାଖୋଜି ପରେ ରାଜାଙ୍କ ସିପାହୀମାନେ ବନ୍ଧୁ ମହାନ୍ତି ଶୋଇଥିବା ସ୍ଥାନରୁ ଥାଳିଟି ପାଇଲେ ଏବଂ ତାଙ୍କୁ ସପରିବାର ସହ ଉଠାଇ ନେଇ ବନ୍ଦୀ କରିଦେଲେ । ସେତେବେଳକୁ ମହାନ୍ତି ଜାଣି ସାରିଥିଲେ ସେହି ବ୍ରାହ୍ମଣ ଜଣଙ୍କ ଆଉ କେହି ନୁହେଁ ବରଂ ସ୍ୱୟଂ ପ୍ରଭୁ ଜଗନ୍ନାଥ । କାନ୍ଦି କାନ୍ଦି କହିଲେ , ପ୍ରଭୁ... ଏ ତୁମର କି ଲୀଳା । ମୁଁ ବନ୍ଧୁ ବୋଲି ଦୁଃଖ ଜଣେଇବାକୁ ଆସିଥିଲି , ନିଜେ ଆସି ଖାଇବାକୁ ଦେଲ । ପୁଣି ମୋତେ ଫସାଇ ଦଣ୍ଡ ଦେଉଛ ।
ସେହି ରାତିରେ ପୁରୀ ଗଜପତିଙ୍କୁ ସ୍ୱପ୍ନଦେଶ କଲେ ମହାପ୍ରଭୁ...କହିଲେ “ମୋ ଭକ୍ତକୁ ମୁଁ ନିଜେ ଯାଇ ଖାଇବାକୁ ଦେଇଥିଲି । ତମେ ମାନେ ତାକୁ ବାଡେଇକି ଚୋର ପ୍ରମାଣ କରିଦେଲ । ସେ ମୋର ପରମ ବନ୍ଧୁ” ତାଙ୍କ ପ୍ରତି ଧ୍ୟାନ ଦିଅ । ଏହା ଜାଣିବା ପରେ ସମସ୍ତେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ । ଏହାପରେ “ବନ୍ଧୁ”ଙ୍କୁ ସବୁପ୍ରକାରର ସୁବିଧା ଯୋଗାଇ ଦେଲେ । ଶେଷରେ ତାଙ୍କୁ କ୍ଷମା ମଧ୍ୟ ମାଗିଲେ ଓ କହିଲେ ଆମର ଭୁଲ ହେଇଛି ଆମକୁ କ୍ଷମାକର । ପରିଶେଷରେ ଗଜପତି ମହାରାଜ ବନ୍ଧୁ ମହାନ୍ତିଙ୍କୁ ନିଜ ଦରବାରରେ ସସମ୍ମାନରେ ଚାକିରି ଦେଲେ । ଏ କଥା ସମଗ୍ର ଓଡିଶାରେ ଖେଳିଗଲା ଓ ତାଙ୍କୁ ସମସ୍ତେ ବନ୍ଧୁ ମହାନ୍ତି ନାମରେ ଡାକିଲେ । ପ୍ରଭୁ ଜଗନ୍ନାଥ ସବୁବେଳେ ନିଜର ଭକ୍ତଙ୍କର ଭାବନାରେ ରହନ୍ତି । ଯିଏ ତାଙ୍କୁ ହାତ ଟେକିଦିଏ ଭଗବାନ ତାଙ୍କ ପାଖରେ ପହଞ୍ଚି ତାକୁ ଉଦ୍ଧାର କରନ୍ତି ।