କନକ ବ୍ୟୁରୋ: କଂଗ୍ରେସ ଫୋକସରେ ଓଡ଼ିଶା । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ରଥଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ରଥଯାତ୍ରା ହେଉଛି କୋଟି କୋଟି ଲୋକ ଆସୁଛନ୍ତି, ରଥ ଟାଣୁଛନ୍ତି । ହେଲେ ଏକ ଡ୍ରାମା ହେଉଛି, ରଥକୁ ଆଦାନୀ ଆଉ ତାଙ୍କ ପରିବାର ପାଇଁ ଅଟକାଇ ଦିଆଯାଉଛି । ଏଥିରୁ ଆପଣ ଓଡ଼ିଶା ସରକାର ବିଷୟରେ ଜାଣିପାରୁଥିବେ । ଏହା ଓଡ଼ିଶା ସରକାର ନୁହେଁ ଏହା ଆଦାନୀ ସରକାର । ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା । ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ? ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି?
ରାହୁଲ କହିଛନ୍ତି, ଓଡ଼ିଶା ସରକାରଙ୍କ କାମ ଓଡ଼ିଶାର ଧନ ଗରିବ ଲୋକଙ୍କଠାରୁ ଚୋରି କରିବା । ପ୍ରଥମେ ବିଜେଡି ଏହି କାମ କରୁଥିଲା ଆଉ ଏବେ ବିଜେପି ଏହି କାମ କରୁଛି । ଓଡିଶାର ଗରିବ ଲୋକ, ଦଳିତ, ଚାଷୀ, ମଜୁରିଆ ଗୋଟିଏ ଅନ୍ୟପଟେ ୫ରୁ ୬ ଜଣ ଆରବପତି, ବିଜେପି ସରକାର, ଏମାନଙ୍କ ଭିତରେ ଲଢେଇ ହେଉଛି । ଆଉ କଂଗ୍ରେସ ଓଡ଼ିଶା ଜନତାଙ୍କ ସହ ମିଶି ଏହି ଲଢେଇ ଜିତିବ ।
ବିଜେପି ପୂରା ଦେଶରେ ସମ୍ୱିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ର ଭଳି ବିାହରରେ ନିର୍ବାଚନ ଚୋରି କରିବାକୁ ପ୍ରୟାସ କରାଯାଉଛି । ଆଉ ଏଥିପାଇଁ ନିର୍ବାଚନ କମିସନ ନୂଆ ଷଡଯନ୍ତ୍ର ରଚିଛନ୍ତି । ନିଜ କାମ ଛାଡି଼ ସେ ବିଜେପି କାମ କରୁଛନ୍ତି । ମହାରାଷ୍ଟ୍ରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଭିତରେ ୧ କୋଟି ନୂଆ ଭୋଟର ଆସିଗଲେ । ଆଜି ଯାଏଁକେହି ଜାଣିନାହାନ୍ତି ସେ ଭୋଟର କେଉଁଠୁ ଆସିଲେ । ଆମେ ନିର୍ବାଚନ କମିସନଙ୍କୁ ଭୋଟର ଲିଷ୍ଟ ମାଗି ସାରିଛୁ । ଆଉ ଏହି ଚୋରି ଏବେ ବିହାରରେ କରିବାକୁ ଯାଉଛି ବିଜେପି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ରାହୁଲ ଆହୁରି କହିଛନ୍ତି, ଓଡ଼ିଶାରେ ଏବେ ବିଜେପିର ମଡେଲ । ଏଠାରେ ୫ରୁ ୬ କମ୍ପାନିଙ୍କୁ ଆପଣଙ୍କ ସମ୍ପତ୍ତି ଦେଉଛନ୍ତି ସରକାର । ମୁଁ ଚାଷୀ, ଗରିବ, ମହିଳାଙ୍କୁ ଭେଟିଛି ତାଙ୍କ ଦୁଃଖ ଶୁଣିଛି । ଜଳ, ଜଙ୍ଗଲ, ମାଟି ଆଦାବିସୀଙ୍କର ଅଛି ଆଉ ରହିବ । ଏଠାରେ ଆଦିବାସୀଙ୍କୁ ନପଚାରି ଜମି ଛଡ଼ାଇନିଆଯାଏ ତାଙ୍କୁ ପଟ୍ଟା ଦିଆଯାଏ ନାହିଁ । କଂଗ୍ରେସ ଦଳ ପେସା ଆଇନ ଆଣିଛି, ଆଦିବାସୀ ବିଲ୍ ଆଣିଛି । ଏହି ବିଲ୍ ଆମେ ଲାଗୁ କରି ଆଦିବାସୀଙ୍କୁ ତାଙ୍କ ହକ୍ ଦେବୁ ।
ବିକାଶ ଆରବପତିଙ୍କ ପାଇଁ ନୁହେଁ ବିକାଶ ଓଡ଼ିଶା ଜନତାଙ୍କ ପାଇଁ କରାଯିବା ଦରକାର । ଏଠାକାର ସରକାର ଆପଣଙ୍କ ଧନ, ଜନ, ଭୂମି ଲୁଟିବାରେ ଲାଗିଛି । କ୍ଷତିପୂରଣ ନଦେଇ ଡରାନ୍ତି, ଧମକ ଦିଅନ୍ତି । ଆଦିବାସୀ, ଚାଷୀ, ଗରିବ ଯାହା ଉପରେ ସରକାର ଅତ୍ୟାଚାର କରୁଛନ୍ତି ତାଙ୍କ ସହ କଂଗ୍ରେସ ଛିଡ଼ା ହେବ, ମୁଁ ଛିଡ଼ା ହେବି । ଆଉ ଆଦିବାସୀଙ୍କୁ ପଟ୍ଟା ଆପଣଙ୍କୁ କଂଗ୍ରେସ ହିଁ ଦେବ ବୋଲି ରାହୁଲ କହିଛନ୍ତି ।
ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀ ଏକ ନୂଆ ଯୋଜନା ଆଣିଥିଲେ । ପୂରା ଦେଶରେ ଫସଲ ବୀମା ଯୋଜନା ଲାଗୁ କରିଥିଲେ । କହିଥିଲେ ଚାଷୀଙ୍କ ଅସୁବିଧା ସମୟରେ ଏହି ଯୋଜନା ସହାୟକ ହେବ । ସେ କଣ କଲେ ? ଗରିବ ଲୋକଙ୍କଠାରୁ ଟଙ୍କା ନେଇ ୩ / ୪ କମ୍ପାନିଙ୍କୁ ଦେଇଦେଲେ । ଗରିବଙ୍କ ଟଙ୍କା, ରାଜ୍ୟ ସରକାରଙ୍କ ଟଙ୍କା ଉଠାଇ କମ୍ପାନୀଙ୍କୁ ଦେଲେ । ହେଲେ ଏହି କମ୍ପାନି ଆପଣଙ୍କ ଅସୁବିଧାରେ ଆପଣଙ୍କୁ ଟଙ୍କା ଦେଉନାହିଁ । ଆପଣ ଯାଇ ଚାଷୀଙ୍କୁ ପଚାରନ୍ତୁ କଣ ଆପଣଙ୍କୁ ବୀମା ଯୋଜନାର ଟଙ୍କା ମିଳିଛି । ଆଉ ସମସ୍ତେ ଗୋଟିଏ ସ୍ୱରରେ କହିବେ ଆମକୁ ଟଙ୍କା ମିଳିନାହିଁ, ଆମ ଟଙ୍କା ଚୋରି କରାଯାଇଛି । ଏହା ସମ୍ବିଧାନ ବିରୋଧରେ ଆକ୍ରମଣ । ସମ୍ବିଧାନ ଗରିବ, ଚାଷୀ, ମଜୁରିଆଙ୍କ ରକ୍ଷା କରେ । ସମ୍ବିଧାନରେ କେଉଁଠି ଲେଖା ହୋଇନି ଏ ଦେଶ ଆଦାନୀ କି ଅମ୍ୱାନୀଙ୍କର କି ଆରବପତିଙ୍କର । ସମ୍ବିଧାନ ଖୋଲିକି ଦେଖ ଏଥିରେ ଲେଖା ଅଛି ଏ ଦେଶ ଗରିବ ଲୋକଙ୍କର । ହେଲେ ଆମେ ଏବେ ଯୁଆଡ଼େ ଦେଖୁଛୁ କେବଳ ଗୋଟିଏ ନାଁ ଦେଖାଯାଉଛି ଆଦାନୀ ଆଦାନୀ । ଏହାର ଅର୍ଥ ଆଦାନୀ ଓଡ଼ିଶା ସରକାର ଚଲାଉଛି ଆଉ ମୋଦୀଙ୍କୁ ବି ଚଲାଉଛି ଆଦାନୀ ।
ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇ ଯାଇଛନ୍ତି । ଆଜି ଯାଏଁ କାହାକୁ ଜଣା ନାହିଁ ମହିଳା କୁଆଡ଼େ ଗଲେ । ମହିଳାଙ୍କ ବିରୋଧରେ ଅତ୍ୟାଚାର ହେଉଛି, ଗଣ ଦୁଷ୍କର୍ମ ହେଉଛି । ପ୍ରତିଦିନ ୧୫ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ଆପଣଙ୍କ ସରକାରକୁ ଏଥିରେ କିଛି ନେଣଦେଣ ନାହିଁ । ସେ ୨୪ ଘଣ୍ଟା ଆପଣଙ୍କ ରକ୍ତ ପିଉଛନ୍ତି । ଏଥିପାଇଁ ଆମେ ଏଠାକୁ ଆସିଛୁ ଆପଣଙ୍କ ସହ ଛିଡ଼ା ହେଉଛି । ଯେତେବେଳେ ବି ଯାହା ହେବ ଆପଣ ମୋତେ ଡାକିଲେ ମୁଁ ଆସିବି ଆପଣଙ୍କ ସହ ଛିଡ଼ା ହେବି ବୋଲି ଓଡ଼ିଶାବାସୀଙ୍କୁ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।