କନକ ବ୍ୟୁରୋ : ନାଶୈ ରୋଗ ହରୈ ସବ ପୀରା , ଜପତ ନିରନ୍ତର ହନୁମନ୍ତ ବୀରା । ବିଶ୍ୱାସ ରହିଛି...ହନୁମାନଙ୍କ ନାଁ ଜପିଲେ ସବୁ ରୋଗରୁ ମୁକ୍ତି ମିଳେ । ମେଡିକାଲ୍‌ ସାଇନ୍ସ କେତେ ବି ଆଗେଇ ଯାଉ, ଦେହ ଟିକେ ଖରାପ ହେଲେ ଛୁଆଟିଏ ମାଆକୁ ଡାକିଲା ପରି ସମସ୍ତେ ଭଗବାନଙ୍କୁ ଡାକିଥାଆନ୍ତି । ଭକ୍ତ ଆଉ ଭଗବାନଙ୍କ ବନ୍ଧନ ଭିନ୍ନ ଓ ବିଶ୍ୱାସରେ ପରିପୂର୍ଣ୍ଣ । ସେଇଥିପାଇଁ ତ ମେଡିକାଲ୍‌ରେ ମଧ୍ୟ ଭଗବାନଙ୍କ ମୂର୍ତ୍ତି ସ୍ଥାପନା କରାଯାଏ । ଆସନ୍ତୁ ଜାଣିବା ଅଟଳ ବିଶ୍ୱାସରେ ଭରା ଏକ ରହସ୍ୟମୟୀ ରୋଚକ କଥା ।

Advertisment

ଭାରତରେ ମନ୍ଦିରଗୁଡ଼ିକର ବହୁତ ମାନ୍ୟତା ରହିଛି । ଏପରି ଅନେକ ମନ୍ଦିର ଅଛି ଯେଉଁଠି ଆଜି ବି ଆଲୌକିକତା ହେଉଥିବା ବିଶ୍ବାସ କରାଯାଏ । ସେହିପରି ଏକ ମନ୍ଦିର ଯେଉଁଠି ପ୍ରଭୁ ହନୁମାନ ଡାକ୍ତର ରୂପରେ ପୂଜା ପାଆନ୍ତି ଏବଂ ରୋଗୀମାନଙ୍କର ଚିକିତ୍ସା ମଧ୍ୟ କରନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାର ଦନ୍ଦରୌଆ ଧାମରେ ଏପରି ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ହନୁମାନଙ୍କୁ ଡାକ୍ତର ଭାବରେ ପୂଜା କରାଯାଏ ।

ଦନ୍ଦରୌଆ ଧାମର ଡାକ୍ତର ହନୁମାନ ମନ୍ଦିର ପଛରେ ରହିଛି ଏକ ରୋଚକ କାହାଣୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ , ବହୁ ପୂର୍ବରୁ ସେଠାରେ ଶିବକୁମାର ଦାସ ନାମକ ଜଣେ ସାଧୁ ରହୁଥିଲେ ଯିଏ କି କର୍କଟ ରୋଗରେ ପୀଡ଼ିତ ଥିଲେ । ସେ ହନୁମାନଙ୍କର ଜଣେ ମହାନ ଭକ୍ତ ଥିଲେ ଏବଂ ପ୍ରତିଦିନ ମନ୍ଦିରରେ ତାଙ୍କୁ ପୂଜା କରୁଥିଲେ । ଗୋଟିଏ ଦିନ ପ୍ରଭୁ ହନୁମାନ ହଠାତ୍‌ ଡାକ୍ତର ରୂପରେ ତାଙ୍କୁ ଦର୍ଶନ ଦେଲେ ଏବଂ ତାଙ୍କ ରୋଗ ଭଲ କରିଦେଲେ । ସେବେଠାରୁ ଏହି ମନ୍ଦିରରେ ପ୍ରଭୁ ମହାବୀରଙ୍କୁ ଡାକ୍ତର ଭାବରେ ପୂଜା କରାଯିବା ଆରମ୍ଭ ହୋଇଥିଲା ।

ଏହାପରେ ଧୀରେଧୀରେ ଚାରିଆଡ଼େ ବ୍ୟାପିଗଲା ସଙ୍କଟମୋଚନଙ୍କ ମହିମା । ଭକ୍ତମାନଙ୍କର  ଅତୁଟ ଭରସା ଏବଂ ବିଶ୍ୱାସ, ଟିକିଏ ଦେହ ଖରାପ ହେଲେ ଟାଣିନିଏ ଡାକ୍ତର ହନୁମାନ ମନ୍ଦିରକୁ । କଥାରେ ଅଛି ବିଶ୍ୱାସେ ମିଳଇ ହରି । ତେଣୁ ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଏହି ମନ୍ଦିରକୁ ଧାଇଁ ଆସନ୍ତି । କ୍ୟାନସର୍‌ ରୋଗ ଠାରୁ ଆରମ୍ଭ କରି ସବୁ ମାରାତ୍ମକ ରୋଗ  ଏଠାରେ ଭଲ ହେଉଥିବାର ବିଶ୍ୱାସ ରହିଛି ।

ପ୍ରତି ମଙ୍ଗଳବାର ଏବଂ ଶନିବାର ବହୁ ସଂଖ୍ୟକ ଭକ୍ତ ଏଠାକୁ ଆସି ପ୍ରଭୁ ହନୁମାନଙ୍କର ପୂଜା କରନ୍ତି । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏଠାକୁ ଆସିବା ଦ୍ୱାରା ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ସେମାନେ ରୋଗରୁ ମୁକ୍ତି ପାଆନ୍ତି । କେବଳ ଭାରତରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଭକ୍ତମାନେ ଏଠାକୁ ଆସନ୍ତି । ଏହି ମନ୍ଦିର ଅନେକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ଏହା ସେମାନଙ୍କ ବିଶ୍ୱାସର ପ୍ରତୀକ ପାଲଟିଛି ।