କନକ ବ୍ୟୁରୋ: ଚର୍ଚ୍ଚାରେ ରାହୁଲଙ୍କ ‘ଟୁ ଏମପି ଥିଓରୀ’ । ଡବଲ୍ ଇଞ୍ଜନ ସରକାର ପରେ, ଏବେ ଚର୍ଚ୍ଚାରେ ଡବଲ୍ ଇଞ୍ଜିନ୍ ଏମପି । ଲୋକସଭାରେ ବିରୋଧୀ ଦଳ ନେତା ଥିବା ରାହୁଲ ଗାନ୍ଧୀଙ୍କର ଏକ ବୟାନ ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସାଉଣ୍ଟିଛି । ଯେଉଁଠି ରାହୁଲ ଗାନ୍ଧୀ ରାୟବରେଲୀର ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ, କହିଛନ୍ତି ଯେ, ରାୟବରେଲୀ ହେଉଛି ଏମିତି ଗୋଟିଏ ସଂସଦୀୟ କ୍ଷେତ୍ର ଯେଉଁଠି ଦୁଇ ଜଣ ଏମପି ଅଛନ୍ତି ।
ଗୁରୁବାର ରାହୁଲ ଗାନ୍ଧୀ ତାଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀର ଉଞ୍ଚାହାରରେ ଥିଲେ। ସେଠାରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ରାୟବରେଲି ଏପରି ଏକ ଆସନ, ଯେଉଁଠି ଦୁଇଜଣ ସାଂସଦ ଅଛନ୍ତି। ଗୋଟିଏ ମୁଁ ଏବଂ ଅନ୍ୟଟି ହେଉଛନ୍ତି ପ୍ରିୟଙ୍କା। ତୁମେ ତାଙ୍କୁ ମଧ୍ୟ ଏଠାକୁ ଡାକିବା ଉଚିତ ବୋଲି କହିଛନ୍ତି ରାହୁଲ ।
ଏହାସହ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇଁ ରାୟବରେଲୀର ଲୋକ ଏବଂ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ରାହୁଲ ଗାନ୍ଧୀ ରାୟବରେଲୀ ସହିତ ଗାନ୍ଧୀ ପରିବାରର ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ରାହୁଲ କହିଥିଲେ ଯେ, ଆପଣଙ୍କର ଯାହା ବି ସମସ୍ୟା ଅଛି, କେବଳ ମୋତେ କୁହନ୍ତୁ କ'ଣ କରାଯିବା ଆବଶ୍ୟକ, ମୁଁ ତାହା କରିବି। ମୁଁ ସବୁବେଳେ ଉପଲବ୍ଧ । ସେ ଏହା ମଧ୍ୟ କହିଥିଲେ ଯେ ଏହା କୌଣସି ରାଜନୈତିକ ସମ୍ପର୍କ ନୁହେଁ, ଏହା ଏକ ପାରିବାରିକ ସମ୍ପର୍କ।
ସେପଟେ ରାହୁଲ ଗାନ୍ଧୀଙ୍କ ଦୁଇ ସାଂସଦ ତତ୍ତ୍ୱ ଉପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ରାହୁଲ ଗାନ୍ଧୀଙ୍କ ଏହି ବକ୍ତବ୍ୟର ଭିଡିଓ ସେୟାର କରି ଲେଖିଛନ୍ତି ଯେ, ରାୟବରେଲୀ ଆମର ପରିବାର ଏବଂ ଆମେ ପରିବାରର ପ୍ରତ୍ୟେକ ନିର୍ଦ୍ଦେଶ ପାଳନ କରିବୁ ।
ଜାଣିରଖିବା ଉଚିତ୍ ଯେ, ପ୍ରିୟଙ୍କା ଗାନ୍ଧୀ ଦୀର୍ଘ ବର୍ଷ ଧରି ରାୟବରେଲିରେ ସକ୍ରିୟ ଅଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପର୍ୟ୍ୟନ୍ତ ସୋନିଆ ଗାନ୍ଧୀ ରାୟବରେଲି ଆସନରୁ ସାଂସଦ ଥିଲେ। ପ୍ରତ୍ୟେକ ସାଧାରଣ ନିର୍ବାଚନରେ, ପ୍ରିୟଙ୍କା ଗାନ୍ଧୀ ରାୟବରେଲିରେ ଡେରା ପକାଇ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାରର ଦାୟିତ୍ୱ ନେଇଥିଲେ। ତେବେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ଯିବା ପରେ, ପ୍ରିୟଙ୍କା ଗାନ୍ଧୀ ରାୟବରେଲି ଆସନରୁ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ୨୦୨୪ ସାଧାରଣ ନିର୍ବାଚନରେ କିନ୍ତୁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିନଥିଲା । ରାହୁଲ ଗାନ୍ଧୀ କେରଳର ୱାୟାନାଡ ଆସନ ସହିତ ରାୟବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଉଭୟ ଆସନରେ ବିଜୟୀ ହୋଇଥିଲେ। ଏହାପରେ ରାହୁଲ ୱାୟାନାଡ ଆସନ ଛାଡି ଦେଇଥିଲେ ଏବଂ ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ସାଂସଦ ନିର୍ବାଚିତ ହୋଇଥିଲେ।