କନକ ବ୍ୟୁରୋ : ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ବଡ଼ ଅଭିଯୋଗ। କଂଟ୍ରାକ୍ଟ କରାଇଦେବା ପାଇଁ ଲାଞ୍ଚ ଦେଉଥିବା ଭଳି ଅଭିଯୋଗ ହୋଇଛି। ଆଦାନୀ ପ୍ରାୟ ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେବା ସହ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିବା ଜଣାପଡିଛି। ଏହି ଅଭିଯୋଗ, ଆଦାନୀ ଗ୍ରୀନ୍‌ ଏନର୍ଜୀ ଲିମିଟେଡ୍ ସହ ଜଡ଼ିତ। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଜ୍ କମିଶନ୍ ଏହି ଘଟଣାରେ ଗୌତମ ଅଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଆଦାନୀ ଗ୍ରୀନ୍ ଏନର୍ଜୀ ଲିମିଟେଡ୍‌ର ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛି ।

Advertisment

ରଏଟର୍ସର ରିପୋର୍ଟ ଅନୁସାରେ, ଆଦାନୀ ଗ୍ରୀନ୍ ଏନର୍ଜୀ କମ୍ପାନୀକୁ ଭାରତର ସବୁଠାରୁ ବଡ଼ ସୌର ଶକ୍ତି ଯୋଜନାର ପ୍ରୋଜେକ୍ଟ କରାଇଦେବା ପାଇଁ ଭାରତୀୟ ଅଧିକାରୀଙ୍କୁ ୨୬୫ ମିଲିଅନ୍ ଡଲାର ବା ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ। ୨୦୨୦ରୁ ୨୦୨୪ ଭିତରେ ଏହି ଲାଞ୍ଚ ଦିଆ ଯାଇଛି। ବଡ଼ କଥା ହେଉଛି ଏହି କଂଟ୍ରାକ୍ଟ ଜରିଆରେ ୨୦ ବର୍ଷରେ ୨ ଅରବ ଡଲାରରୁ ଅଧିକ ଲାଭ କରିବାକୁ ଲକ୍ଷ୍ୟ ରଖିଥିଲା କମ୍ପାନୀ। କେବଳ ସେତିକି ନୁହେଁ, ଲାଭ ପାଇବା ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକଙ୍କୁ ମଧ୍ୟ ମିଛ ତଥ୍ୟ ଦେଇଥିବା ଆଦାନୀ ବିରୋଧରେ ଲାଗିଛି ସଂଗୀନ  ଅଭିଯୋଗ। ଏହି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିବା ପରେ ଆଜି ସକାଳୁ ତଳମୁହାଁ ଚାଲିଛି ଆଦାନୀର ସବୁ ସେୟାର। ୨୦ ପ୍ରତିଶତ ଖସିଛି ଆଦାନୀ ସମୂହ ସେୟାର ।  

ସେପଟେ ଆଦାନୀଙ୍କ ବିରୋଧରେ ଆମେରିକାରେ ଏଭଳି ଅଭିଯୋଗ ଆସିବା ପରେ ଗୌତମ ଆଦାନୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ଏକ ସାମ୍ବାଦିକ ସମ୍ମଳିନୀ କରି  ଅଭିଯୋଗର ଜେପିସି ତଦନ୍ତ କରିବା ସହ ଗୌତମ ଆଦାନିଙ୍କ ଗିରଫ ଦାବି କରିଛନ୍ତି । ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ଥରେ ନୁହେଁ ବାରମ୍ବାର ଆଦାନୀଙ୍କୁ ମୋଦି ସରକାର ଦୁର୍ନୀତି ମାମଲାରେ ବଂଚାଉଥିବା ଅଭିଯୋଗ କରିଛନ୍ତି ରାହୁଲ । ସେପଟେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ବୁଧବାର ଦିନ ଆମେରିକା ଅଭିଯୋଗ ଆଣିଛି ଯେ ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକାଦେଇଛନ୍ତି । ଆମେରିକା‌ରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍‌ ଡଲାର୍‌ ଲାଞ୍ଚ୍‌ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍‌ କମ୍ପାନି ଏବଂ ଆଦାମୀ ଗ୍ରୁପ୍‌ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।