କନକ ବ୍ୟୁରୋ: ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ନିର୍ମାଣ ହୋଇଛି ଗ୍ରାମୀଣ ପାର୍କ। କିନ୍ତୁ ଏବେ ଏହି ପାର୍କ ବଣ ଜଙ୍ଗଲ ପାଲଟିଯାଇଛି। ଅଧା ନିର୍ମାଣ ହୋଇ ପଡିରହିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବେନିଆଗୁଢ଼ା ଗ୍ରାମ ନିକଟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସରୁନି କାମ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ବେନିଆଗୁଢ଼ାରେ ନିର୍ମାଣ ଚାଲିଛି ଗ୍ରାମୀଣ ପାର୍କ। ୨୦୨୦-୨୧ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଗ୍ରାମୀଣ ପାର୍କର କାମ ଆଜି ପର୍ୟ୍ୟନ୍ତ ସରୁନାହିଁ। ପାର୍କର ଚାରିପରେ ଜଙ୍ଗଲ ହିଁ ଜଙ୍ଗଲ।  ଠିକାଦାର ଖୁବ୍ ଚଂଚକତାର ସହ ଚାରି ପଟେ ପାଚେରୀ ଓ ମୁଖ୍ୟ ପ୍ରବେଶ ଦ୍ୱାର କାମ କରି ଚୂପ୍ ବସିଛି। ପ୍ରାୟ ୫୦ ଲକ୍ଷ ଟଙ୍କାରେ ନିର୍ମାଣ କାମ ଚାଲିଛି। ଏ ପର୍ୟ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ ହିସାବ କାହା ପାଖରେ ନାହିଁ। କେବଳ ଗୋଟିଏ ଫଳକ ତିଆରି କରି ଛାଡ଼ି ଦିଆଯାଇଛି।

ଚିତ୍ରକୋଣ୍ଡା, ବଡ଼ପଦର, ରାଲେଗାଡ଼ା, ବଡ଼ପୋଢ଼ା ଓ ପାପରମେଟଲାରେ ଗ୍ରାମୀଣ ପାର୍କ ପାଇଁ  ଅନୁଦାନ ଆସିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୫ଟି ପାର୍କ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। କେବଳ ଚିତ୍ରକୋଣ୍ଡାକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ବିଲକୁଲ୍ କାମ ହୋଇନାହିଁ। ପାର୍କରେ ଲାଗିବାକୁ ଆସିଥିବା ସାମଗ୍ରୀ ବ୍ଲକ ଗୋଦାମ ଘରେ ଖତ ଖାଉଛି। କିଛି ଜିନିଷ  ଡ଼ଷ୍ଟବିନ ବ୍ଲକ ଅଫିସରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି ।