କନକ ବ୍ୟୁରୋ: ଦିନରେ ଘର ଘର ବୁଲି ରୋଷେଇ କରୁଥିବା ବେଳେ ରାତିରେ ଘରେ ବୁଲାଉଥିଲେ କଳାକନା । ଏଭଳି ଘର ଘର ବୁଲି କଳାକନା ବୁଲାଉଥିବା ଏକ ଚୋର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ । 

ଗିରଫ ଅଭିଯୁକ୍ତମାନେ ହେଲେ ପାଟପୁରଅଞ୍ଚଳର ସନ୍ତୋଷ ସାହୁ, ଦୀପକ ମହାପାତ୍ର ଓ ସୋମନାଥ ନଗରର ଏସ.କେ.ସଦମ। ସେମାନଙ୍କ ଠାରୁ ୧୬୮ ଗ୍ରାମ ସୁନା, ୨୦୦ ଗ୍ରାମ ରୂପା, ୨ଲକ୍ଷ ୨ ହଜାର ଟଙ୍କା ସହ ଗୋଟିଏ ମଟର ସାଇକେଲ ଜବତ ହୋଇଛି । ଚୋରି ସୁନା କିଣିଥିବା ଅଭିଯୋଗରେ ବଡବଜାର ଅଞ୍ଚଳର ସୁନା ବ୍ୟବସାୟୀ ଏ.ଶ୍ରୀନୁକୁ ମଧ୍ୟ ପୁଲିସ ଗିରଫ କରିଛି ।
 

ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଗତ ୨୫ ତାରିଖରେ ଅଜିତ କୁମାର ପାଢୀଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏତଲା ପାଇବା ପରେ ନିମଖଣ୍ଡି ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। 

ଏହି ଚୋର ଗ୍ୟାଙ୍ଗର ମୁଖିଆ ଜଣେ ରୋଷେୟା । ଦିନରେ ଘରକୁ ଘର ବୁଲି ରୋଷେଇ କରିଥାଏ । ଆଉ ଯେଉଁ ଘରେ ରାତି କେହି ନଥିବା ଜାଣିଲେ ସେହି ଦିନ ନିଜ ଗ୍ୟାଙ୍ଗକୁ ନେଇ ଚୋରି କରିଥାଏ । ଏହି ଚୋରି ଗ୍ୟାଙ୍ଗ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଗିରଫ କରିବା ନିମନ୍ତେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି ।