କନକ ବ୍ୟୁରୋ: କମିଶନରେଟ ପୁଲିସକୁ ଚୋର ଆଉ ଡରୁନାହାନ୍ତି । ରାଜଧାନୀର ଇନଫୋସିଟି ଥାନା ଶ୍ରୀଗଣେଶ ବିହାରରେ ବଡ ଲୁଟରୁ ଏହା ପୁଣି ପ୍ରମାଣିତ ହୋଇଛି । ୧୫ ଦିନ ମଧ୍ୟରେ ଏଠାରେ ଦୁଇ ଦୁଇଟି ଚୋରି ସ୍ପଷ୍ଟ ହୋଇଛି ଯେ, ଗୋଟିଏ ଗ୍ୟାଙ୍ଗ ଏଭଳି ଚୋରି କରୁଛନ୍ତି । କିନ୍ତୁ ପୁଲିସ କିଛି କରିପାରୁନାହିଁ । 

Advertisment

ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀଗଣେଶ ବିହାର ଅଞ୍ଚଳରେ ରହୁଥିବା ବଂଶୀଧର ଗୌଡଙ୍କ ଘରେ ବୁଲିଲା କଳାକନା । ଶନିବାର ବିଳମ୍ୱିତ ରାତିରେ ବଂଶୀଧର ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ  ତିନ ରୁ ଚାରିଜଣ ଦୁର୍ବୃତ୍ତ ଘରର ଝରକା ଭାଙ୍ଗି ଗ୍ରୀଲ୍ ତାଡି ଘରେ ପଶିଲେ । ଆଉ ଘଣ୍ଟାଏ ଭିତରେ ଆଲମାରି ଭିତରେ ଥିବା ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଗହଣା ସହ ସାତ ହଜାର ନଗଦ ଟଙ୍କା ଧରି ଫେରାର ହୋଇଯାଇଛନ୍ତି । ବଡକଥା ହେଉଛି ବଂଶୀଧର ଘରେ ଝରକାରେ ମୋଟା ଗ୍ରିଲ୍ ଲଗାଇବା ସହ ବଡ ତାଲା ଲଗାଇଥିଲେ । ତାସତ୍ତ୍ବେ ଚୋର ଘରେ ପଶି କଳାକନା ବୁଲାଇଛନ୍ତି ।

ଚୋରଙ୍କ ମନରେ ନାହିଁ ପୋଲିସର ଭୟ
ଆରାମରେ ଲୁଟୁଛନ୍ତି, ଛୁ ମାରୁଛନ୍ତି 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୧୫ ଦିନ ତଳେ ସେହି ସମାନ ଅଞ୍ଚଳରେ ଆଉଜଣଙ୍କ ଘରୁ ସମାନ ଢଙ୍ଗରେ ଚୋରି ହୋଇଥିଲା । ଆଉ ଦୁଇସପ୍ତାହ ମଧ୍ୟରେ ସମାନ ଅଞ୍ଚଳରେ ଦୁଇ ଦୁଇଟି ବଡଧରଣର ଚୋରି ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ଗ୍ୟାଙ୍ଗ ରେକି କରି ଦୁଇ ଦୁଇଟି ଚୋରିରେ ସାମିଲ ଥିବା ସନ୍ଦେହ କରୁଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ଘରୁ ଚୋରି ହେବା ଏବେ ଦେହସୁହା ହୋଇଗଲାଣି । ଚୋର, ଲୁଟେରା, ଦୁର୍ବୃତ୍ତ ଘରେ ଓ ଆପାର୍ଟମେଣ୍ଟରେ ପଶି କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।