କନକ ବ୍ୟୁରୋ : ସରୁନି ସାର ସମସ୍ୟା । ୨ଦିନ ଧରି କଳାହାଣ୍ଡିରେ ସାର ପାଇଁ ଦେଖିବାକୁ ମିଳୁଛି ହଟ୍ଟଗୋଳ । ଗତକାଲି ମଧ୍ୟ କଳାହାଣ୍ଡିରେ ୟୁରିଆ ସାର ପାଇଁ ପ୍ରବଳ ହଟଗୋଳ ହୋଇଥିଲା, ଆଜି ବି ସମାନ ସ୍ଥିତି । ସାର ପାଇଁ ସକାଳଠୁ ଲମ୍ବା ଲାଇନ ଲଗାଇଛନ୍ତି ଲୋକ । ନର୍ଲା, କାର୍ଲମୁଣ୍ଡା, ପାଷ୍ଟିକୁଡ଼ି ସମବାୟ ସମିତିରରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । କୃଷି ବିଭାଗ ପର୍ଯ୍ୟାପ୍ତ ସାର ଥିବା କଥା କହୁଥିବାବେଳେ ଚାଷୀ ସାର ନ ପାଇବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।   

Advertisment

ଖାଲି କଳାହାଣ୍ଡି ନୁହେଁ ପାଟଣାଗଡ଼ ଅଞ୍ଚଳରେ ମଧ୍ୟ ଚାଷୀଙ୍କ ଏବେ ଟେନସନ୍ ବଢ଼ାଇଛି ୟୁରିଆ ସାର । ୟୁରିଆ ସାର ପର୍ଯ୍ୟାପ୍ତ ନଥିବାରୁ ଚାଷୀ ବ୍ୟବହାର କରୁଛନ୍ତି ନାନୋ ୟୁରିଆ ସାର । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ବର୍ତ୍ତମାନ ଚାଷରେ ୟୁରିଆ ସାର ଦେବାର ସମୟ ଆସିଛି । କିନ୍ତୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୟୁରିଆ ସାରର ଅଭାବ ଦେଖାଦେଇଛି । ଯେଉଁ ଦୋକାନମାନଙ୍କରେ ସାର ମିଳୁଛି, ସେଠାରେ ୟୁରିଆ ସାର ପ୍ୟାକେଟ୍ ପ୍ରତି ୭ ସହରରୁ ଊର୍ଦ୍ଧ୍ବ ଟଙ୍କା ବା ଚଢ଼ା ଦରରେ ଦୋକାନ ମାଲିକ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଫଳରେ ସାର କିଣି ଚାଷୀ ଶୋଷଣର ଶିକାର ହେଉଛନ୍ତି । ଏପରିକି ୟୁରିଆ ସାର ବଦଳରେ ନାନୋ ୟୁରିଆ ବା ଲିକ୍ୟୁଡ୍ ସିଞ୍ଚନ ଦ୍ବାରା ବହୁ ଅସୁବିଧାର ସମ୍ମୁଖୀନ ହେବାସହ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । କପାଚାଷରେ ଏହି ନାନୋ ୟୁରିଆ ସିଞ୍ଚନ କଲେ ଗଛଗୁଡ଼ିକୁ ଭାଙ୍ଗି ନଷ୍ଟ ହେବାସହ ଅଧିକ ଶ୍ରମିକ ବି ଦରକାର ପଡୁଛି । ଅନ୍ୟପକ୍ଷରେ ନାନୋ ୟୁରିଆ ସାର ବ୍ୟବହାର କରିବା ଦ୍ବାରା ଦାନାଦାର ୟୁରିଆ ସାର କଳାବଜାରୀ ରୋକାଯାଇପାରିବ ବୋଲି ସ୍ଥାନୀୟ ବ୍ୟବସାୟୀ ଦାବି କରିଛନ୍ତି । କିନ୍ତୁ ନାନୋ ୟୁରିଆ ପାଇଁ ସରକାର ବିଦେଶୀ ପ୍ରଣାଳୀ ଆପଣାଇ ଡ୍ରୋନ୍ ବ୍ୟବସ୍ଥା କରିବାକୁ ଚାଷୀ କହିଛନ୍ତି ।