କନକ ବ୍ୟୁରୋ : ଫାଇନାନ୍ସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା ଅଭିଯୋଗ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଶୁକ୍ରା ସାହିରେ ଘଟିଛି ଅଭାବନୀୟ ଘଟଣା । ଗ୍ରାହକଙ୍କ ଘରକୁ ବାଇକ ଲୋନର ବକେୟା କିସ୍ତି ଅର୍ଥ ଆଦାୟ ପାଇଁ ଯାଇଥିବା ବେଳେ ଉତ୍ତ୍ୟକ୍ତ ହୋଇ ଗାଡି ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।  ମୃତକ ସଦର ଥାନା ବନେଇକଳା ଗାଁର ବୁବୁ ମହାନ୍ତ । ନୟାକୋଟ ଥାନା ସୁକ୍ରା ସାହିର ଜଣେ ବ୍ୟକ୍ତି ଏକ ପଲସର୍ ବାଇକ ବଜାଜ ଫାଇନାନ୍ସରୁ ଲୋନରେ ଆଣିଥିଲେ । 

Advertisment

ବାଇକ କିସ୍ତି ଫେଲ ଥିବାରୁ ବଜାଜ ଫାଇନାନ୍ସର କର୍ମଚାରୀ ମନୋଜ ମହାନ୍ତ ଓ ସାଙ୍ଗରେ ତାଙ୍କ ସମ୍ପର୍କୀୟ ବୁବୁ ମହାନ୍ତ, ତାଙ୍କ ଘରକୁ ଯାଇ କିସ୍ତି ଟଙ୍କା ମାଗିଥିଲେ । କିଛି ସମୟ ପରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଫାଇନାନ୍ସ କର୍ମଚାରୀ ରାମ ସିଂଙ୍କୁ ତାଗିଦ କରି ଫେରି ଆସିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ରାମ ସିଂ ଗାଁ ଠାରୁ କିଛି ଦୂରରେ ତାଙ୍କ ପଛରେ ଆସି ବୋଲେରୋରେ ବାଇକକୁ ଧକ୍କା ଦେଇଥିଲେ । ଫଳରେ ବାଇକ ପଛରେ ବସିଥିବା ଵୁବୁ ଛିଟିକି ପଡିଥିଲେ । ତାପରେ ଦେହ ଉପରେ ବୋଲେରୋ ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ବାଇକ ଚଳାଉ ଥିବା ମନୋଜ ମହାନ୍ତ ରାସ୍ତା କଡରେ ଛିଟିକି ପଡି ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆହତ ମନୋଜକୁ ଆମ୍ବୁଲାନ୍ସରେ ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ନୟାକୋଟ ପୋଲିସ ଘଟଣାର ତଦନ୍ତ ଚଳାଇଛି। ପୂରା ଘଟଣା ସଂପର୍କରେ କହିଛନ୍ତି ଆହତ ମନୋଜ ।