କନକ ବ୍ୟୁରୋ: ୧୨ ଜୁନ୍ ୨୦୨୫ରେ, ଅପରାହ୍ନରେ ଗୁଜୁରାଟର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ବୋଇଂ ୭୮୭-୮ ବିମାନ ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ପଛ ଭାଗ ମେଡିକାଲ୍ ହଷ୍ଟେଲ୍ କୋଠାରେ ଧକ୍କା ଦେଇଥିଲା। ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସମେତ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। ମୃତକଙ୍କ ମଧ୍ୟରେ ୬୦ ଜଣ ବିଦେଶୀ ଥିଲେ।
ଲଣ୍ଡନ ଖବରକାଗଜ ଦି ଇଣ୍ଡିପେଣ୍ଡେଣ୍ଟ ଏୟାର ଇଣ୍ଡିଆ ଉପରେ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ବଦଳରେ ମାମଲା ଦାୟର ନକରିବାକୁ ପ୍ରସ୍ତାବ ଦେଇଛି ବିମାନ କମ୍ପାନି ମୃତକଙ୍କ ପରିବାରଗୁଡ଼ିକୁ କ୍ଷତିପୂରଣ ଭାବରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି। ତେତେକ କ୍ଷେତ୍ରରେଏହା ୨୦ ଲକ୍ଷ ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ଏୟାର ଇଣ୍ଡିଆ କହିଥିବା ରିପୋର୍ଟରେ ପ୍ରକାଶ ପାଇଛି।। ତେବେ ଏହି ଅତିରିକ୍ତ କ୍ଷତିପୂରଣ ପାଇଁ ପରିବାରବର୍ଗ ଏକ ସର୍ତ୍ତରେ ରାଜି ହେବେ ଯେ, ସେମାନେ ଭବିଷ୍ୟତରେ ଦୁର୍ଘଟଣା ସମ୍ବନ୍ଧୀୟ ଦାବି ଦାଖଲ କରିବେ ନାହିଁ ଓ କମ୍ପାନିକୁ ସମସ୍ତ ଆଇନଗତ ଦାୟିତ୍ୱରୁ ମୁକ୍ତ କରିବେ। ଏହି ସର୍ତ୍ତ ଯେକୌଣସି ଦେଶ କିମ୍ବା ଅଦାଲତରେ ଆଇନଗତ ହେବ।
ଅଧିକ ପଢ଼ନ୍ତୁ : ଦୁର୍ଘଟଣା ପୂର୍ବରୁ ଏୟାର ଇଣ୍ଡିଆ ବିମାନ ଅନେକ ଥର ଖରାପ ହୋଇଥିଲା: ଅହମଦାବାଦ ଦୁର୍ଘଟଣା ନେଇ ଆମେରିକୀୟ କଂଗ୍ରେସରେ ରିପୋର୍ଟ ଉପସ୍ଥାପିତ
ଲିଗାଲ୍ ଟିମ୍ର ପ୍ରତିବାଦ
୧୩୦ ଜଣ ପୀଡିତଙ୍କ ପରିବାରର ପ୍ରତିନିଧିତ୍ୱ କରୁଥିବା ଲିଗାଲ୍ ଟିମ୍ ଏୟାର ଇଣ୍ଡିଆର ପ୍ରସ୍ତାବକୁ ବିରୋଧ କରିଛନ୍ତି। ସେମାନେ ଯୁକ୍ତି ଦେଇଛନ୍ତି ଯେ, ତଦନ୍ତ ଅସମ୍ପୂର୍ଣ୍ଣ ରହିଛି। ଏଥିପାଇଁ କିଏ ଦାହୀ ତାହା ନିର୍ଣ୍ଣୟ କରାଯାଇ ନାହିଁ। ଏପରିସ୍ଥଳେ ପୀଡିତଙ୍କ ପରିବାରଙ୍କୁ ମାମଲାରୁ ଓହରି ଯିବାକୂ କହିବା ଅନ୍ୟାୟ। କିଛି ଆହତଏବେ ବି ଚିକିତ୍ସାଧୀନ ଅଛନ୍ତି।ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ଏହି ପ୍ରକ୍ରିୟାରେ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ସହାୟତା କରିବାକୁ ଏୟାର ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ। ପ୍ରାରମ୍ଭିକ ମଧ୍ୟବର୍ତ୍ତୀକାଳୀନ ଦେୟ ପ୍ରଦାନ କରିବା ପରେ, ଆମେ ନିଶ୍ଚିତ କରିଛୁ ଯେ, ପ୍ରତ୍ୟେକ ପରିବାରକୁ ଶେଷ ଦେୟ ପ୍ରଦାନ ନ୍ୟାୟସଙ୍ଗତ ଓ ଆଇନ ଅନୁଯାୟୀ କରାଯିବ।
ଏଏଆଇବିକୁ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସୁପ୍ରିମକୋର୍ଟ ଫେବ୍ରୁଆରି ୧୧ ତାରିଖରେ କେନ୍ଦ୍ର ସରକାରଙ୍କୁ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପ୍ରକ୍ରିୟାଗତ ପ୍ରୋଟୋକଲ ବିଷୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ସରକାର କହିଥିଲେ ଯେ,ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବୋର୍ଡ (ଏଏଆଇବି)ର ତଦନ୍ତ ଶେଷ ପର୍ୟ୍ୟାୟରେ ଅଛି। ଏନଜିଓ ସେଫ୍ଟି ମ୍ୟାଟର୍ସ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ କହିଥିଲେ ଯେ, ଦୁର୍ଘଟଣା ପାଇଁ ଏଏଆଇବି ଦ୍ୱାରା ତଦନ୍ତ ହେବା ଉଚିତ ନୁହେଁ, ବରଂ ଏହାର କୋର୍ଟ ଅଫ୍ ଇନକ୍ୱାରୀ ଆବଶ୍ୟକ। ଏନେଇ ଖଣ୍ଡପୀଠ କହିଥିଲେ ଯେ,ଏଏଆଇବି ତଦନ୍ତର ଫଳାଫଳ ଦେଖିବା, ତା’ପରେ ଆମେ କୋର୍ଟ ଅଫ୍ ଇନକ୍ୱାରୀ ଆବଶ୍ୟକ ହେବ କି ନାହିଁ ତାହା ଅନୁଧ୍ୟାନ କରିବା। ଭୂଷଣ ଉତ୍ତର ଦେଇଥିଲେ, ୮,୦୦୦ ରୁ ଅଧିକ ପାଇଲଟ କହୁଛନ୍ତି, ବୋଇଂ ୭୮୭ ଅସୁରକ୍ଷିତ ଓ ଏହାକୁ ଗ୍ରାଉଣ୍ଡେଡ୍ କରାଯିବା ଉଚିତ। ଏଏଆଇବି ତଦନ୍ତ ଦଳର ପାଞ୍ଚ ଜଣ ସଦସ୍ୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ରୁ ଆସିଛନ୍ତି।
ଅଧିକ ପଢ଼ନ୍ତୁ : ପାଇଲଟ୍ ପିଇଥିଲେ ମଦ ଆଉ ତା ପରେ ଘଟିଲା...; କାନାଡାରୁ ନୂଆଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ
କେନ୍ଦ୍ର ଓ ଡିଜିସିଏ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ପ୍ରଶାନ୍ତ ଭୂଷଣଙ୍କୁ ସନ୍ତୁଷ୍ଟ କରିବାର ଏକମାତ୍ର ଉପାୟ ହେଉଛି ଭୂଷଣଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବା। ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ ଧାର୍ୟ୍ୟ କରିଥିଲେ। ଭାରତର ବେସାମରିକ ବିମାନ ଚଳାଚଳ ନିୟାମକ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କହିଥିଲେ ଯେ ବିମାନଟି ଜୁନ୍ ୧୨ ତାରିଖ ଅପରାହ୍ନ ୧:୩୯ ସମୟରେ ରନୱେ ୨୩ ରୁ ଉଡ଼ାଣ କରିଥିଲା। ଉଡ଼ାଣ ପରେ, ପାଇଲଟ୍ ବିମାନ ଟ୍ରାଫିକ୍ ନିୟନ୍ତ୍ରକଙ୍କୁ ଏକ ମେଡେ କଲ୍ ପଠାଇଥିଲେ, କିନ୍ତୁ କୌଣସି ଉତ୍ତର ପାଇନଥିଲେ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅନୁଯାୟୀ, ବିମାନରେ ଦୁଇଜଣ ପାଇଲଟ୍ ଓ ୧୦ ଜଣ କ୍ୟାବିନ କ୍ରୁ ସମେତ ୨୪୨ ଜଣ ଥିଲେ। ପାଇଲଟ୍ଙ୍କର ୮,୨୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା ଓ କୋ-ପାଇଲଟ୍ଙ୍କର ୧୧୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା।
ପୂର୍ବରୁ ଆମେରିକା ସ୍ଥିତ ଫାଉଣ୍ଡେସନ ଫର ଏଭିଏସନ୍ ସେଫ୍ଟି (ଏଫ୍ଏଏସ୍) ଦାବି କରିଥିଲା ଯେ, ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ବୈଦ୍ୟୁତିକ ସିଷ୍ଟମ ବିଫଳତା ଯୋଗୁ ଗୋଟିଏ ପରେ ଗୋଟିଏ ଅନେକ ସିଷ୍ଟମ ବନ୍ଦ ହୋଇଯାଇଥିଲା। ଏହା ଦୁର୍ଘଟଣାର କାରଣ ହୋଇଥାଇପାରେ। ଉଡ଼ାଣର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Follow Us