କନକ ବ୍ୟୁରୋ: ପୁଣି ଲୋକସଭା ମୁଲତବି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ମୁଲତବି । ଅପରାହ୍ନ ୨ଟା ଯାଏଁ ମୁଲତବି ଘୋଷଣା । ପୂର୍ବରୁ ଘଣ୍ଟାଏ ପାଇଁ ହୋଇଥିଲା ମୁଲତବି । ସଂସଦରେ ଅପରେସନ ସିନ୍ଦୂର ନେଇ ହୋଇଥାଆନ୍ତା ଆଲୋଚନା । ଭାରତୀୟ ବୀର ଯବାନଙ୍କ ବୀରତ୍ବ ସମ୍ପର୍କରେ ଆଲୋଚନା କରିବେ ଉଭୟ ଶାସକ ଓ ବିରୋଧୀ । ହେଲେ ବିରୋଧୀଙ୍କ ହଙ୍ଗାମା ଭିତରେ ଦିନ ୧ଟାରେ ଆଲୋଚନା ହୋଇପାରି ନାହିଁ । ବାଚସ୍ପତି ଓମ୍ ବିର୍ଲା ଗୃହର କାର୍ଯ୍ୟକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅପରେସନ୍ ସିନ୍ଦୂର ଆଲୋଚନାକୁ ଆରମ୍ଭ କରିଥାନ୍ତେ । ଏହାପୂର୍ବରୁ ଗୃହ ମଧ୍ୟକୁ ଆସି ବିରୋଧୀ ସାଂସଦ ହଙ୍ଗାମା କରିଥିଲେ । ଲୋକସଭାରେ ଅପରେସନ୍ ସିନ୍ଦୂର ଉପରେ ମୋଟ ୧୬ଘଣ୍ଟା ଆଲୋଚନା ହେବାକୁ ସ୍ଥିର ହୋଇଛି । ଆସନ୍ତାକାଲି ରାଜ୍ୟସଭାରେ ମଧ୍ୟ ଏହା ଉପରେ ଆଲୋଚନା ହେବ ।

Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ, ତେଜସ୍ୱୀ ସୂର୍ଯ୍ୟ ଏବଂ ବୈଜୟନ୍ତ ପଣ୍ଡାଙ୍କ ନାମ ମଧ୍ୟ ବିଜେପି ପକ୍ଷରୁ ବକ୍ତାଙ୍କ ତାଲିକାରେ ଅଛି । ଅନ୍ୟପକ୍ଷରେ, ଗୌରବ ଗୋଗୋଇ କଂଗ୍ରେସ ପକ୍ଷରୁ ପ୍ରଥମ ବକ୍ତା ହେବେ । ପ୍ରିୟଙ୍କା ଗାନ୍ଧୀଙ୍କ ନାମ ମଧ୍ୟ ବକ୍ତାଙ୍କ ତାଲିକାରେ ଅଛି । କଂଗ୍ରେସ ଏହାର ଲୋକସଭା ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ତିନି ଧାଡ଼ିର ହ୍ୱିପ୍ ଜାରି କରିଛି ।

ଲୋକସଭାରେ ଅପରାହ୍ନ ୨ଟାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହେବ । ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ SIR ଉପରେ ଆଲୋଚନା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବିରୋଧୀ ଅପରାହ୍ନ ୧ଟାରେ ଦାବି ରଖିଥିଲେ । ଏବେ ଅପରାହ୍ନ ୨ଟାରେ ଆଲୋଚନା ଆରମ୍ଭ ହେବାର ସମ୍ଭାବନା ରହିଛି ।