କନକ ବ୍ୟୁରୋ: ୨୦୧୭ରେ ଦେବଗଡ଼ ଜିଲ୍ଲା ଓ ୨୦୧୮ରେ ଦେବଗଡ଼ ପୌରାଞ୍ଚଳକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ଘୋଷଣା କଲେ କେନ୍ଦ୍ର ସରକାର । ସରକାର ପାଣି ଭଳିଆ ଟଙ୍କା ଖର୍ଚ୍ଚ କରି ଗୋଷ୍ଠୀ ଶୌଚାଳୟ ନିର୍ମାଣ କଲେ । ହେଲେ ବ୍ୟବହାରର ଦିନ କେଇଟା ପରେ ସେଗୁଡ଼ିକରେ ଝୁଲୁଛି ତାଲା । ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଜନ କଲ୍ୟାଣକାରୀ ଯୋଜନା ବାଟବଣା ହୋଇଥିବା ଆସିଛି ଅଭିଯୋଗ ।

Advertisment

ଦେବଗଡ଼ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ନିର୍ମିତ ଆମ ଗୋଷ୍ଠୀ ଶୌଚାଳୟ । ଲୋକଙ୍କ ସୁବିଧା ପାଇଁ ନିର୍ମିତ ଏହି ଶୌଚାଳୟ ଏବେ ଅଦରକାରୀ । ବଣବୁଦାରେ ଭର୍ତ୍ତି ହୋଇ ଜଙ୍ଗଲ ହୋଇଗଲାଣି । କେଉଁଠି ପାଣି ଟାଙ୍କି ନାହିଁ । ଆଉ କେଉଁଠି ପାଣି ପମ୍ପ ନାହିଁ । ଆଉ କିଛିରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ଆଜକୁ ୭ ବର୍ଷ ହେଲା ଶୌଚାଳୟ ଗୁଡ଼ିକ ଅକାମି ହୋଇପଡ଼ିଥିବା ବେଳେ ଲୋକେ ଶୌଚ ହେବାକୁ ବିଲ ଓ ଖୋଲା ପଡ଼ିଆକୁ ବ୍ୟବହାର କରୁଥିବା ଅଭିଯୋଗ ଆସିଛି । 

୨୦୧୭-୧୮ରେ ସ୍ୱଚ୍ଛ ଭାରତ ମିସନ ଯୋଜନାରେ ୱାର୍ଡ ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିଲା ଆମ ଗୋଷ୍ଠୀ ଶୌଚାଳୟ। ରାଜ୍ୟ ରାଜକୋଷରୁ ଏଥିପାଇଁ ଖର୍ଚ୍ଚ ହୋଇଛି ୪୦ ଲକ୍ଷ ଟଙ୍କା । ହେଲେ ପୌର ପରିଷଦର ଅବହେଳା କାରଣରୁ ଆଜି ତାହା ଜରାଜୀର୍ଣ୍ଣ । ଅନ୍ୟପଟେ ଗୋଷ୍ଠୀ ଶୌଚାଳୟକୁ ଗୋଦାମ ଗୃହ ଭାବେ ବ୍ୟବହାର କରାଯାଉଥିବା ନେଇ ଆସିଛି ସଙ୍ଗନ ଅଭିଯୋଗ। ତୁରନ୍ତ ଶୌଚାଳୟର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୌର ପରିଷଦର ନିର୍ବାହୀ ଅଧିକାରୀ । ତୁରନ୍ତ ଏହି ଗୋଷ୍ଠୀ ଶୌଚାଳୟ ଗୁଡ଼ିକୁ କାର୍ଯ୍ୟକ୍ଷମ କରି ସ୍ବଚ୍ଛତା ଉପରେ ଧ୍ୟାନ ଦେଲେ ଲୋକ ଉପକୃତ ହୋଇପାରିବେ।