କନକ ବ୍ୟୁରୋ: ସମୟ ବଦଳିଲା, ସରକାର ବଦଳିଲେ। ହେଲେ ବଦଳିଲାନି ବସ୍ ଷ୍ଟାଣ୍ଡର ଚିତ୍ର। ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି। ଜନଗହଳି ଭିତରେ ଗାଡ଼ି ଓ ଗନ୍ତବ୍ୟ ପଥ ଖୋଜୁଛନ୍ତି ଯାତ୍ରୀ। କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ରାସ୍ତା ଜାମ୍। 

Advertisment

ଜୟପୁର ସହରର ଟ୍ରାଫିକ ଛକ, ପାଲଟିଛି ବସଷ୍ଟାଣ୍ଡ। ରାସ୍ତା କଡ଼ରେ ବସକୁ ଅପେକ୍ଷା କରିଛନ୍ତି ଯାତ୍ରୀ। ଆଉ କେତେବେଳେ ଯାତ୍ରୀଙ୍କ ଅପେକ୍ଷାରେ ବସ୍। ଏହି ରାସ୍ତା ଆନ୍ଧ୍ରପ୍ରଦେଶରୁ ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ ପୂର୍ବତନ ରାଜ୍ୟ ସରକାର ଜୟପୁରରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରିଛନ୍ତି। ନିର୍ବାଚନ ପୂର୍ବରୁ ୧୨ରୁ ୧୪ କୋଟିରେ ନିର୍ମିତ ବସଷ୍ଟାଣ୍ଡ ଉଦଘାଟନ୍ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। କିନ୍ତୁ ଆଜି ଯାଏଁ ପ୍ରକଳ୍ପରୁ ତାଲା ଖୋଲିନି କି ଯାତ୍ରୀଙ୍କୁ ସୁବିଧା ମିଳୁନି।

ସେହିଭଳି ସେମିଳିଗୁଡ଼ା ବସଷ୍ଟାଣ୍ଡକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ଯାତ୍ରୀ। ଭାବିଥିଲେ ଅତ୍ୟାଧୁନିକ ବସଷ୍ଟାଣ୍ଡ ଦେଖିବ ସହର। ହେଲେ ଏ ବସଷ୍ଟାଣ୍ଡରୁ ବି ଖୋଲିନି ତାଲା। ଆଧୁନିକ ଯନ୍ତ୍ରପାତି ସବୁ ନଷ୍ଟ ହେଉଛି। କୋଟି କୋଟି ଟଙ୍କାର ବସଷ୍ଟାଣ୍ଡ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ସରକାରୀ ବସ ଗୋଟିଏ ଛୋଟ ଜାଗାରେ ରହୁଛି। 

ଗୋଟିଏ ପଟେ ନୂଆ ବସଷ୍ଟାଣ୍ଡ ଗାଡ଼ିକୁ ଅପେକ୍ଷା କରିଛି, ଅନ୍ୟପଟେ ରାସ୍ତାରୁ ଗହଳି ସାଙ୍ଗକୁ ଗାଡ଼ି ହଟୁନି। ଏସବୁ ଭିତର ସନ୍ତୁଳି ହେଉଛନ୍ତି ଜନତା। ପୁରା ପରିସ୍ଥିତିକୁ ଦେଖିଲେ, କାହା ପାଇଁ କୋଟିକୋଟି ଟଙ୍କାର ବସଷ୍ଟାଣ୍ଡ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।