କନକ ବ୍ୟୁରୋ : ଜରାଜୀର୍ଣ୍ଣ ଅବସ୍ଥାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିଲା ପଥପ୍ରାନ୍ତ ସୁବିଧାକେନ୍ଦ୍ର । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏବେ ୩ମାସରୁ ଅଧିକ ଦିନ ହେଲାଣି ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବନ୍ଦ ହୋଇ ପଡିଛି । ବଲାଙ୍ଗୀର ବଙ୍ଗୋମୁଣ୍ଡା -କଣ୍ଟାବାଞ୍ଜି ୪୨ନମ୍ବର ରାଜ୍ୟ ରାଜପଥର କୋଦୋଭଟା ଗାଁ ନିକଟରେ ଦୀର୍ଘ ବର୍ଷ ହେବ ଏହି ଘର ରହିଛି । ଏ ରାସ୍ତାରେ ଯାଉଥିବା ଯାତ୍ରୀ, ସାଧାରଣ ଜନତା ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉପରେ ନିର୍ଭର କରୁଥିଲେ । ପଥଚାରିଙ୍କ ସୁବିଧା ନେଇ ଏହି ଘର କରାଯାଇଛି । ଶୌଚାଳୟରୁ ନେଇ ପିଇବାପାଣି, ପାର୍କିଂ ଆଦି ଅନେକ ସୁବିଧା ଥିଲା । ହେଲେ କୌଣସି କାରଣରୁ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ୪ମାସ ହେଲା ବନ୍ଦ ହୋଇ ପଡିରହିଛି । ଧୀରେ ଧୀରେ ଘରସବୁ ଆବର୍ଜନାରେ ଭରିଯାଇଥିବା ବେଳେ ଗଛ ଲତା ବଢ଼ିବା ସହ ଜରାଜୀର୍ଣ୍ଣ ହୋଇପଡିଲାଣି । ପଥଚାରୀଙ୍କୁ କୌଣସି ପ୍ରକାର ସବୁଧା ମିଳୁନଥିବା ବେଳେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ।
ପଥପ୍ରାନ୍ତ କେନ୍ଦ୍ର ବନ୍ଦ ହୋଇଯିବା ଯୋଗୁ ୪ବର୍ଷ ରୁ ଅଧିକ କାମ କରୁଥିବା କର୍ମଚାରୀ ମାନେ ଏବେ ନିଜ କାମ ହରାଇ ଘରେ ବସିଛନ୍ତି । କିଛି କର୍ମଚାରୀ ନିଜର ବକେୟା ଟଙ୍କା ମଧ୍ୟ ପାଇନାହାନ୍ତି । ଖାଲି ଯେ କର୍ମଚାରୀ ମାନେ ହଇରାଣ ହେଉଛନ୍ତି ତାହା ନୁହେଁ ସାଧାରଣ ଜନତା ମଧ୍ୟ ହଇରାଣ ହେଉଛନ୍ତି । କିଛି ଦିନ ଆଗରୁ ଏହି କେନ୍ଦ୍ର ଆକର୍ଷଣର କେନ୍ଦ୍ର ଥିବା ବେଳେ ଏବେ ଜରାଜୀର୍ଣ୍ଣ ହେବାକୁ ବସିଲାଣି । ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ଏହାର ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ଜରୁରୀ ହୋଇଛି ।