କନକ ବ୍ୟୁରୋ: ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରିଥିଲେ ସରକାର ଓ ବିଏମ୍‌ସି । ବର୍ଷେ ତଳୁ କାମ ସରିଯାଇଛି । ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରୁନଥିଲା ବିଏମସି । ଶେଷରେ ସାଧାରଣ ଲୋକେ ଏକାଠି ହେଲେ ଏବଂ ନଡ଼ିଆ ବାଡ଼େଇ ଉଦଘାଟନ କରିଦେଲେ ପ୍ଲାଣ୍ଟ । ଖୋଦ୍ ରାଜଧାନୀ ଭୁବନେଶ୍ବରର ପଳାଶୁଣୀରେ ଏପରି ରୋଚକ ଚିତ୍ର ସାମ୍ନାକୁ ଆସିଛି । ଲୋକଙ୍କ ସରକାରରେ ଲୋକଙ୍କ ହାତରେ ଉଦଘାଟିତ ହୋଇଛି ଆବର୍ଜନା ପ୍ଲାଣ୍ଟ। 

Advertisment

ନା ଅଛନ୍ତି ମନ୍ତ୍ରୀ, ନା ମେୟର, ନା କମିସନର । କୌଣସି  ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ନଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଦୀର୍ଘ ଦିନ ଧରି  ରହିଥିବା ମେସିନରେ ନଡ଼ିଆ ବାଡେଇ ଲୋକ କରିଛନ୍ତି ଉଦଘାଟନ । ଅଳିଆଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ପୂଜାଵିଧି ଅନୁସାରେ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି ।  ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ପାଖାପାଖି ୮ ମାସରୁ ଅଧିକ ସମୟ ହେବ ପ୍ରସ୍ତୁତ ହୋଇ ରହିଥିଲା । ପ୍ଲାଣ୍ଟରେ ମେସିନ ଇନଷ୍ଟଲ ହୋଇ ସେଥିରେ କଳଙ୍କି ଲାଗିବା ଆରମ୍ଭ ହେଉଥିଲା । ତେବେ ଏହି ଘଟଣାରେ ବିଏମସି ମେୟର, କମିସନର କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ନାହିଁ ।