କନକ ବ୍ୟୁରୋ : ପ୍ୟାକ୍ସରେ ମହାଦୁର୍ନୀତି । ମୃତକ ଚାଷୀଙ୍କ ନାଁରେ ଉଠିଛି ଋଣ । ଏମିତି ଅଭିଯୋଗ କରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଚାଷି । ସୁବର୍ଣ୍ଣପୁର ତରଭା ବ୍ଲକ ପୁଆ ପ୍ରାଥମିକ ସେବା ସମବାୟ ସମିତିରେ ଏଭିଳି କାରବାର ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

Advertisment

ଚାଷୀଙ୍କୁ ଚାଷ କାମରେ ସହଯୋଗ କରିବା ପାଇଁ ସରକାର ଋଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ତରଭା ବ୍ଲକରେ କ୍ଷମତାର ଅପବ୍ୟବହାର କରି ମୃତ ଚାଷୀ ଓ ଦିବ୍ୟାଙ୍ଗଙ୍କ ନାଁରେ ଋଣ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି । ଚାଷୀଙ୍କ ଅଜାଣତରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା କାରବାର ହୋଇଛି । ସଭାପତିଙ୍କ ନିର୍ଦ୍ଦେଶରେ ପ୍ୟାକ୍ସ ସଂପାଦକ ଏବଂ ଅନ୍ୟ କର୍ମଚାରୀ ଏପରି କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଓ ଡିଆରସିଏସଙ୍କ ପାଖରେ ଚାଷୀ ଫେରାଦ ହୋଇଛନ୍ତି । 

ସମବାୟ ସମିତି ସଭାପତି ଏବଂ ସଂପାଦକଙ୍କ ଅନିୟମିତତାରେ ପେଶି ହେଉଛନ୍ତି ଶତାଧିକ ଚାଷୀ । ଚାଷବାସ ଛାଡି ଜିଲ୍ଲାପ୍ରଶାସନ ପାଖରେ ପହଞ୍ଚି ଗୁହାରୀ କରିଛନ୍ତି । ଚାଷୀ ଋଣ ଦୁର୍ନୀତିର ସତ ସାମ୍ନାକୁ ଆଣିବା ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆରସିଏସ । ଯିଏ ଦୁର୍ନୀତି କରିଛି ତାର ଟେର ମିଳୁନି, ଏପଟେ ଋଣ ନକରି ଋଣ ଚିନ୍ତାରେ ଘାଣ୍ଟି ହେଉଛନ୍ତି ଚାଷୀ । ପ୍ରଶାସନ ପକ୍ଷରୁ ଏ ଘଟଣାକୁ ଗୁରୁତର ସହ ନେଇ ଚାଷୀଙ୍କୁ ଋଣ ମୁକ୍ତ କରିବାର ଆବଶ୍ୟକତା ରହିଛି ।