କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲା କୁନି ଝିଅ ପ୍ରତ୍ୟୁଷା ଗିରି । ଏକ ଡାକ୍ତରୀ ଟିମ ଗଠନ କରାଯାଇ କଟକ ବଡ଼ମେଡିକାଲରେ ଚିକିତ୍ସା ଚାଲିଛି । ହେଲେ କୁନି ଝିଅର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁନାହିଁ । ଏହାଦେଖି କୁନି ଝିଅ ପ୍ରତ୍ୟୁଷାଙ୍କ ବାପା ରାଜ୍ୟ ବାହାରେ ଝିଅର ଚିକିତ୍ସା କରାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି । 

Advertisment

କୁନି ଝିଅ, ମାଆ କୋଳରେ ବସି କଷ୍ଟକୁ ସହିଯିବାକୁ ଚେଷ୍ଟା କରୁଛି। ଦେହ ସାରା ଗାଢ କଳା ଦାଗ, ଜିରୋଡର୍ମା ପେଗମେଣ୍ଟସନ ରୋଗ ଯୋଗୁଁ ଆଖି ଖୋଲିପାରୁନି। ଦୀର୍ଘ ୧୩ ଦିନ ହେଲା ଏସସିବିର ସ୍ୱତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରିବା ସତ୍ୱ୍ୱେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏସସିବିକୁ ଆସିଲା ବେଳେ ଯେଉଁ ବିଶ୍ୱାସ ନେଇ ପ୍ରତ୍ୟୁଷାକୁ ସାଙ୍ଗରେ ଆଣିଥିଲେ ବାପା-ମା'। ଏବେ ତାହା କମି କମି ଆସୁଛି । ଏବେ କୁନି ଝିଅର ଚିକିତ୍ସା ବାହାର ରାଜ୍ୟରେ କରାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି କୁନିଝିଅର ବାପା ।

ସେପଟେ ଚିକିତ୍ସା କରୁଥିବା ଡାକ୍ତର ପ୍ରତ୍ୟୁଷାକୁ ଜିରୋଡର୍ମା ପିଗ୍‌ମେଣ୍ଟେସନ ସହ କ୍ୟାନ୍ସର ହୋଇଥିବା ଅନୁମାନ କରିଛନ୍ତି । ହେଲେ ଚିହ୍ନଟ ପାଇଁ ଆବଶ୍ୟକ ପରୀକ୍ଷା ସୁବିଧା ଏସସିବିରେ ନାହିଁ । ସେହି ପରୀକ୍ଷା ପରେ ହିଁ ସ୍ପଷ୍ଟ ହେବ ପ୍ରତ୍ୟୁଷାର ଦୁଇ ଆଖି ଓ ଦୃଷ୍ଟି ଶକ୍ତି କେତେ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ତେଣୁ ବାହାରେ ପରୀକ୍ଷା କରିବାକୁ ହେଲେ ଆଉ କିଛି ଦିନ ସମୟ ଲାଗିବ ବୋଲି ଚକ୍ଷୁରୋଗ ବିଶେଷଜ୍ଞ ପ୍ରିୟମ୍ବଦା ସୁବୁଦ୍ଧି କହିଛନ୍ତି ।