କନକ ବ୍ୟୁରୋ: ଆଜିର ଶିଶୁ ଭବିଷ୍ୟତର ନାଗରିକ । ଏକଥା ଶୁଣିବାକୁ ଭଲ ଲାଗୁଛି। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା। ଭଙ୍ଗା ଘରେ ଜୀବନକୁ ବାଜି ଲଗାଇ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର। ଏନେଇ ବାରମ୍ବାର ଜଣାଇବା ପରେ କେହି ଶୁଣୁନଥିବା ଅଭିଯୋଗ ଆସୁଛି ।
ଛାତରୁ ପ୍ଲାଷ୍ଟର ଛାଡ଼ିଗଲାଣି । ଲୁହା ରଡ୍ ଦେଖାଯାଉଛି । ଝରକା କବାଟ ସବୁ ଭଙ୍ଗା । ଆପଣ ଦେଖୁଥିବା ଏ ପରିତ୍ୟକ୍ତ ଘର ହେଉଛି କୋକସରା ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧୀନରେ ଥିବା ଧୋବେନ ଚଞ୍ଚରା ଅଙ୍ଗନବାଡ଼ି କେନ୍ଦ୍ର । କେନ୍ଦ୍ରରେ ମୋଟ ୩୧ଜଣ ଶିଶୁ ଅଛନ୍ତି । ନୂତନ ଘର ନିର୍ମାଣରେ ବିଳମ୍ବ ହେବାରୁ ଦଦରା ଘରେ ବସୁଛନ୍ତି କୋମଳମତି ଶିଶୁ । ଅନେକ ସମୟରେ ବାରଣ୍ଡାରେ ବସୁଥିବାର ଦେଖିବାକୁ ମିଳିଛି ।
କୋକସରା ବ୍ଳକର ୨୨ଟି ପଞ୍ଚାୟତରେ ୧୬୮ଟି ଅଙ୍ଗନବାଡ଼ି ରହିଛି । ସେଥିମଧ୍ୟରୁ ୧୨୩ଟି କେନ୍ଦ୍ରର ନିଜସ୍ୱ ଘର ଅଛି। ୪୫ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଆଉ ୫ଟି କେନ୍ଦ୍ର ଭଡ଼ା ଘରେ ଚାଲିଛି । ଧୋବେନ ଚଞ୍ଚରା ଅଙ୍ଗନବାଡ଼ି କେନ୍ଦ୍ର ଭଳି ଏକାଧିକ ଅଙ୍ଗନବାଡ଼ି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ଥିବା ଅଭିଯୋଗ ହେଉଛି । ଜଙ୍ଗଲ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ଏପରି ଅବ୍ୟବସ୍ଥା ପ୍ରତି କାହିଁକି ପ୍ରଶାସନର କ’ଣ ନଜର ପଡ଼ୁନି ?