କନକ ବ୍ୟୁରୋ: ରେଳକୁ ଭାରତର ଜୀବନରେଖା ବୋଲି କୁହାଯାଏ । କାରଣ ବିଶ୍ୱରେ ଏହା ଚତୁର୍ଥ ସର୍ବବୃହତ ରେଳ ନେଟୱର୍କ । ଦେଶରେ ପ୍ରାୟ ୭ ହଜାର ରେଳ ଷ୍ଟେସନ୍ ରହିଛି ଆଉ ପ୍ରତିଦିନ ପ୍ରାୟ ୨ କୋଟିରୁ ଅଧିକ ଯାତ୍ରୀ ରେଳରେ ଯାତ୍ରା କରୁଛନ୍ତି । ହେଲେ ଟ୍ରେନ୍ ଭିତରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ରେଳଯାତ୍ରୀଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଏଭଳି କିଛି ଦୃଶ୍ୟ ଧାନବାଦ-ଅଲପୁଝା ଏକ୍ସପ୍ରେସ ଟ୍ରେନରେ ଦେଖିବାକୁ ମିଳିଛି । 

ଟ୍ରେନରେ ଚାଲିଛି ବାର । ମିଳୁଛି ସବୁ ବ୍ରାଣ୍ଡର ମଦ । ଯାତ୍ରୀଙ୍କୁ ମଦ ଯୋଗାଇ ଦେଉଛନ୍ତି ଟ୍ରେନ ଆଟେଣ୍ଡାଣ୍ଟ । ବଡ଼ କଥା ହେଉଛି ଟ୍ରେନରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଟକଣା ରହିଛି । କିନ୍ତୁ ଏଠି ମଦର ଆସର ଜମିଛି । ଏପରିକି ଯାତ୍ରୀଙ୍କ ପସନ୍ଦର ବ୍ରାଣ୍ଡର ମଦ ଆଣି ଟ୍ରେନରେ ଥିବା ଆଟେଣ୍ଡାଣ୍ଟ ପେଗ୍ ତିଆରି କରି ଦେଉଛନ୍ତି ।   ଏଥିପାଇଁ ପାଖାପାଖି ତିନିଗୁଣା ଅଧିକ ଦାମ ବି ଦାବି କରୁଛନ୍ତି । 
 

  • ଫାଷ୍ଟକ୍ଲାସ କୋଚରେ ଥାର୍ଡକ୍ଲାସ କାମ
  • ବିପଦରେ ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷା !


ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି କରବାର ଚାଲିଛି ଏସି କମ୍ପାଟମେଣ୍ଟରେ । ଅର୍ଥାତ ଫାଷ୍ଟକ୍ଲାସ କୋଚ୍ରେ ଥାର୍ଡକ୍ଲାସ କାମ । ଥରେ ଭାବନ୍ତୁ ନିଶାସକ୍ତ ଅବସ୍ଥାରେ ଏହି ଯାତ୍ରୀମାନେ ଅନ୍ୟ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ ନାହିଁ କି ? ଦୂର ଦୂରାନ୍ତକୁ ପରିବାର ସହ ଯାତ୍ରା କରୁଥିବା ଲୋକଙ୍କ ସୁରକ୍ଷାର ଗ୍ୟାରେଣ୍ଟି କିଏ ଦେବ ? ଏଭଳି ରେଳଯାତ୍ରା ମହିଳାଙ୍କ ପ୍ରତି ଦୁର୍ବ୍ୟବହାରର ଆଶଙ୍କା ବଢ଼ାଇବ ନାହିଁ କି ? ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି ପୂର୍ବତଟ ରେଳବାଇ । ଏହାଏକ ଅନ୍ତରୀଣ ଘଟଣା, ତେଣୁ ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ବତଟ ରେଳବାଇ ଲୋକ ସଂପର୍କ ଅଧିକାରୀ । 

ଭାରତୀୟ ରେଳବାଇ ଆଇନ ୧୯୮୯ ଅନୁସାରେ ଟ୍ରେନରେ ମାଦକଦ୍ରବ୍ୟ ସେବନ ତ ଦୂରରେ ଥାଉ ନେବା, ଆଣିବା ଉପରେ ମଧ୍ୟ କଟକଣା ରହିଛି । ଆଇନ ଉଲ୍ଲଂଘନ କଲେ ଜୋରିମାନା ସହ ଜେଲ ବ୍ୟବସ୍ଥା ମଧ୍ୟ ରହିଛି । ତଥାପି ଧାନବାଦ-ଅଲପୁଝା ଏକ୍ସପ୍ରେସ ଟ୍ରେନରେ ଚାଲିଛି ମଦର ଆସର । ତେଣୁ ଏହା ପଛରେ ଏକ ବଡ଼ଧରଣର ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି । ଏଥିରେ ରେଳବାଇର କେଉଁ ଅଧିକାରୀ ଓ କର୍ମଚାରୀ ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ।