କନକ ବ୍ୟୁରୋ : ସାଲିଆ ସାହି ସାଜିଛି ଢାଲ , ଯେତେ ଖୋଳିଲେ ସେତେ ମିଳୁଛି । ଯେତେ ଘର ଭାଙ୍ଗିଲେ ସେତେ ଘର ଗଢୁଛନ୍ତି ମଦ ମାଫିଆ । ଭୁବନେଶ୍ବର ସାଲିଆ ସାହି ପାଲଟିଛି ମଦ ମାଫିଆଙ୍କ ହବ୍ । ଅବକାରୀ ବିଭାଗ କେବଳ ଲୋକ ଦେଖାଣିଆ ଭାବେ ରେଡ୍ କରୁଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି । କେତେବେଳେ ଘର ଭଙ୍ଗା ହେଉଛି, ତ କେତେବେଳେ ହାଣ୍ଡି ଡେକ୍‌ଚି । ପୋଚ ଫୋପଡା ହେଉଛି, ରନ୍ଧା ମଦ ଢଳା ହେଉଛି । ହେଲେ, ଅବକାରୀ ବିଭାଗର ଏହି ରେଡ୍ କୁ ନେଇ ସାଧାରଣ ଲୋକଙ୍କ ଭିତରେ ଅନେକ ପ୍ରଶ୍ନ । ଖାଲି ମନେ ପଡିଲେ, ରେଡ୍ ହେଉଛି ନା କେବଳ ମିଡିଆ ଦେଖି ବାହାଃ ବାହାଃ ନେଉଛନ୍ତି ଅଫିସର । ଯିଏ ଯେତେ ମିଡିଆ ଡାକିଲା ସିଏ ସେତେ ଟିଭିରେ ମୁହଁ ଦେଖାଇଲା । ଆଉ ନିଜକୁ ତିସ୍‌ମାର ଖାନ୍ ମନେ କଲା । ହେଲେ ମଦ ବନ୍ଦ କରିଦେବା ଉଦ୍ଦେଶ୍ୟରେ ରେଡ୍ ଚାଲିଛି ନା ଲୋକ ଦେଖାଣିଆ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି । 

Advertisment

ମଦ ପାଇଁ ଏଠି ମୁଣ୍ଡ ଗଡୁଛି , ପରିବାର ଭାଙ୍ଗୁଛି । ବିଷାକ୍ତ ମଦ ପିଇ ଡାକ୍ତରଖାନାରେ ମାସ ମାସ ଧରି ପଡୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମଦ ବିକ୍ରି ମୂଳୋତ୍ପାଟନ ପାଇଁ ଏଯାବତ କୌଣସି ବିଧି ବ୍ୟବସ୍ଥା ଗ୍ରହଣ କରୁନି ଅବକାରୀ ବିଭାଗ । କ୍ରମାଗତ ରେଡ୍ କରି ସବୁଦିନ ପାଇଁ ମଦ ମାଫିଆଙ୍କ ସାମ୍ରାଜ୍ୟ ଭାଙ୍ଗିବା ପାଇଁ ଯେମିତି ସାତ ସପନ ପାଲଟିଛି । ସମୁଦ୍ର ଭିତରୁ ମୁଠାଏ ବାଲି ଭଳି କେଇ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ । କେବେ ଭାଙ୍ଗିବ ସରକାରଙ୍କ ନିଦ ? ନିଶା ବେପାରୀଙ୍କ ଘରେ, ବୁଲଡୋଜର ବୁଲିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ଆଉ ଚୋରା, ଦେଶୀ ମଦକୁ ସମ୍ପୂଣ୍ଣ ଭାବେ ବନ୍ଦ କରାଯାଇ ପାରିବ ତା ଉପରେ ସମସ୍ତଙ୍କ ନଜର ।