କନକ ବ୍ୟୁରୋ; ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଏକ କୃଷି ପ୍ରଧାନ ଅଞ୍ଚଳ । ଅଞ୍ଚଳର ଅଧିକାଂଶ ଲୋକ ଧାନଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଏବେ ଧାନ ଚାଷ ସମୟ । ଭଲ ଅମଳ ଆଶାରେ ମାଟି ସହ ମାଟି ହୋଇ ଚାଷ କରୁଛନ୍ତି ଚାଷୀ । ହେଲେ ସେମାନଙ୍କ ପାଇଁ କଣ୍ଟା ହୋଇଛି ସାର ସଙ୍କଟ । ସମବାୟ ସମିତିରେ ସାର ନାହିଁ, ତେଣୁ ଚାଷ ବୁଡ଼ିଯିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ ।
ଧାନ ଚାଷ ପାଇଁ ଡିଏପି ଓ ପଟାସ ସାର ଲୋଡ଼ା । ସରକାରୀ ସ୍ତରରେ କିନ୍ତୁ ସୃଷ୍ଟି ହୋଇଛି ନିଅଣ୍ଟିଆ ସ୍ଥିତି ।
ପ୍ୟାକ୍ସରେ ସାର ମିଳୁନଥିବା ବେଳେ ବଜାରରୁ ଚଢ଼ା ଦରରେ ସାର କିଣି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ଚାଷୀ । ସାର ଯୋଗାଣରେ ସରକାରୀ ବିଫଳତାର ଫାଇଦା ଉଠାଉଛନ୍ତି ଲାଭଖୋର ବ୍ୟବସାୟୀ । ବସ୍ତା ପିଛା ୫୦୦ରୁ ୫୫୦ରେ ବିକ୍ରି କରୁଛନ୍ତି । ଆଉ ନିରୁପାୟ ଚାଷୀ ବାଧ୍ୟ ହୋଇ ସାର ବସ୍ତା ବଜାରରୁ କିଣି ଖର୍ଚ୍ଚାନ୍ତ ହେଇଛନ୍ତି । କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ନିଜ ସମସ୍ୟା ଜଣାଇଛନ୍ତି ଚାଷୀ । ସଠିକ ସମୟରେ ସାର ଉପଲବ୍ଧ ନହେବାରୁ ଖୁଚୁରା ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି । ଏଭଳି ଅଭିଯୋଗ ଆସିବା ପରେ ପ୍ରଶାସନ ବାବୁ ଚଢ଼ାଉ କରିଛନ୍ତି ।