କନକ ବ୍ୟୁରୋ :  ଘାତକ ସାଜୁଛି ବଜ୍ରପାତ । ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । କେବଳ କୋରାପୁଟରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ମୀପୁରରେ ଆଈ ନାତୁଣୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ସେମିଳିଗୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ୨ ଜଣ ଆଦିବାସୀ ନାବାଳକ ପ୍ରାଣ ହରାଇଛନ୍ତି । ଧର୍ମଶାଳା ବ୍ଲକ ବୁରୁ ସାହିରେ ବଜ୍ରପାତ ହେବା ପରେ ଅଘଟଣ ଘଟିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଗଁଦିଆ ବ୍ଲକରେ ୨ ଜଣଙ୍କର ଜୀବନ ଯାଇଛି । ବାଲେଶ୍ବର ଜିଲ୍ଲା ସୋରରେ ଜଣେ ଶ୍ରମିକ ବଜ୍ରପାତରେ ଟଳି ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ବେଲଗୁଣ୍ଠାରେ ୨ ଜଣଙ୍କର ଜୀବନ ନେଇଛି ବଜ୍ରପାତ । ଗଜପତି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । 

Advertisment

 ବଜ୍ରପାତରେ ଜଣେ ଯବାନଙ୍କର ମୃତ୍ୟୁ। ରାଉରକେଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ବଜ୍ରପାତର ଶିକାର ହୋଇଥିଲେ ୪ ଜଣ ସିଆରପିଏଫ ଯବାନ । ସେମାନଙ୍କ ମଧ୍ୟରୁ ଆଜି ଚିକିତ୍ସା ବେଳେ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ମୃତ ଯବାନ ହେଲେ ଏମ.ପି. ସିଂହ । ସେ ସିଆରପିଏଫ ୨୬ ବାଟାଲିୟନରେ ଦ୍ୱିତୀୟ କମାଣ୍ଡ ଅଧିକାରୀ ଭାବରେ ନିଯୁକ୍ତ ଥିଲେ । ମଣିପୁର ପରେଲର ମୂଳ ବାସିନ୍ଦା ଏମପି ସିଂହ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।