କନକୂ ବ୍ୟୁରୋ : ଘାତକ ସାଜୁଛି ବଜ୍ରପାତ । ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ୨ ଓ ଗଜପତି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । କିଏ ଧାନ ବିଲକୁ ଯାଇଥିବା ବେଳେ ତ କିଏ ଘର ବାରଣ୍ଡାରେ ବସିଥିବା ବେଳେ ଆଉ କିଏ ତୋଟାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଛି । ଏହି ଲୋମଟାଙ୍କୁରା ଦୃଶ୍ୟ କୋରାପୁଟ ଲକ୍ଷ୍ମୀପୁର ବ୍ଲକ ପରଡ଼ିଗୁଡ଼ା ଗାଁର । ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଈ ନାତୁଣି ଶୋଇଥିବା ବେଳେ ବଜ୍ରାଘାତର ମୃତ୍ୟୁ ହୋଇଛି । ତାଙ୍କ ସହ ୩୫ ବର୍ଷୀୟା ଅମ୍ବିକା କାଶୀଙ୍କ ଉପରେ ବଜ୍ରପାତ ହେବାରୁ ପ୍ରାଣ ହରାଇଛନ୍ତି । 

Advertisment

ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ସେହିପରି ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ ଏ.ବରିଡ଼ା ଗାଁରେ ବଜ୍ରପାତରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଓମ୍‌ ପ୍ରକାଶ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ବେଲଗୁଣ୍ଠାରେ ଆମ୍ବ ଗୋଟାଇବାକୁ ତୋଟାକୁ ଯାଇଥିବା ବେଳେ ବଜ୍ରଘାତର ଶିକାର ହୋଇଛନ୍ତି ୨୩ ବର୍ଷୀୟା ଯୁବତୀ । ସେପଟେ ଗଜପତି ମୋହନାରେ ଘରକାମ ପାଇଁ ଟ୍ରାକ୍ଟରରୁ ଇଟା ଓହ୍ଲାଉଥିବାବେଳେ ବଜ୍ରପାତରେ ମହିଳାଙ୍କ ଜୀବନ ଯାଇଛି । କେବଳ ବଜ୍ରପାତ ନୁହେଁ, କଲବଲ କରୁଛି କାଳବୈଶାଖୀ । ବାଲେଶ୍ବର ରେମୁଣାର ନରହରିପୁର ପଞ୍ଚାୟତରେ ବଜ୍ରପାତରେ ଜଳିଯାଇଛି ନଡ଼ିଆ ଗଛ । କାଳବୈଶାଖୀ ବର୍ଷା ଆହୁରି ୪ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ବାୟୁ ଚଳାଚଳ ଓ ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।  ରାଜ୍ୟରେ ଗତ କିଛି ଦିନ ଭିତରେ କାଳବୈଶାଖୀ ଓ ବଜ୍ରପାତ ଯୋଗୁଁ ଅନେକ ଜୀବନ ଚାଲିଗଲାଣି ।