କନକବ୍ୟୁରୋ : ସଚେତନତା ଅଭାବରୁ ବଜ୍ରପାତରେ ଯାଉଛି ଜୀବନ । ବୌଦ୍ଧ ଜିଲ୍ଲାରେ ୨୦୨୦ମସିହାରୁ ଚଳିତବର୍ଷ ଜୁଲାଇ ମାସ ସୁଦ୍ଧା ୧୪ଜଣ ଜଣଙ୍କ ପ୍ରାଣହାନି ଘଟିଛି। ଅନେକ ଗୋରୁଗାଈ, ଛେଳିମେଣ୍ଢାଙ୍କ ମୃତ୍ୟୁ ହୋଇଛି । ବଜ୍ରାଘାତ ମୃତ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବନବିଭାଗ ପକ୍ଷରୁ ତାଳଗଛ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଆକାଶରେ ମେଘମାଳକୁ ଦେଖିଲେ, ଛାତିରେ ଛନକା ପଶୁଛି। ମନରେ ଭୟ ବଢ଼ୁଛି। ବର୍ଷା ପବନ ଠାରୁ ଅଧିକ ଆତଙ୍କ ଖେଳାଉଛି ବିଜୁଳି ଘଡ଼ଘଡ଼ି। କାରଣ ଜଣାନାହିଁ କେତେବେଳେ କାହା ପାଇଁ ଆକାଶରୁ ଖସିପାରେ ମୃତ୍ୟୁ ।
କ୍ଷଣିକରେ ଲିଭିଯାଇପାରେ ଜୀବନ ଦୀପ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବଜ୍ରପାତ ରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୫ ବର୍ଷରେ ୧ ହଜାର ୪୧୮ଟି ମୂଲ୍ୟବାନ ଜୀବନ ନେଇଛି ବଜ୍ରପାତ । ଗୋଟିଏ ଗୋଟିଏ ଦିନରେ ୧୫ରୁ ୧୭ ଜଣଙ୍କ ମୃତ୍ୟୁ ଖବର ଆସିଛି । ଶହଶହ ଗୃହପାଳିତ ପଶୁଙ୍କ ଜୀବନ ଯାଇଛି । ବଜ୍ରପାତକୁ ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ। ତାଳଗଛ ରୋପଣକୁ ଗୁରୁତ୍ୱ ଦେଇଛି ବୌଦ୍ଧ ବନବିଭାଗ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବନବିଭାଗ ପକ୍ଷରୁ ତାଳଗଛ କୁ ସୁରକ୍ଷା ଦିଆଯିବ। ବିନା ଅନୁମତିରେ କେହି କାଟି ପାରିବେନାହିଁ ତାଳଗଛ । ଏଥିପାଇଁ ବୌଦ୍ଧ ବନଖଣ୍ଡ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗାଁ ଚାରିପଟେ ଲଗାଯାଉଛି ତାଳଗଛ । ବନ ବିଭାଗର ତଥ୍ୟ ଅନୁସାରେ, ୨୦୨୩ରେ ୫ହଜାର ତାଳଗଛ ଲଗାଯାଇଥିଲା । ୨୦୨୪-୨୫ରେ ୫୦ହଜାର ତାଳଗଛ ଲଗାଇବା ଲକ୍ଷ୍ୟ ରହିଛି । ସେପଟେ ପ୍ରତି ବ୍ଲକ ଓ ପଞ୍ଚାୟତରେ ବୁଲୁଛି ସଚେତନତା ରଥ। ହାଟ, ବଜାରରେ ପଥପ୍ରାନ୍ତ ନାଟକ ଓ ପାଲା ମାଧ୍ୟମରେ ବଜ୍ରପାତ ମୁକାବିଲା ନେଇ ସଚେତନ କରାଯାଉଛି । ବିଜୁଳି ଘଡ଼ଘଡି ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେବା ବିପଦ କିନ୍ତୁ ଲମ୍ବା ତାଳଗଛ ଏହି ବିପଦକୁ ରୋକିବାରେ ସମର୍ଥ ।