କନକ ବ୍ୟୁରୋ : କାମରେ ଆସୁନି ଉଠା ଜଳ ସେଚନ ପ୍ରକଳ୍ପ, ଶହ ଶହ ଏକର ଫସଲ ନଷ୍ଟ କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି । ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ତଦାରଖ କରିବାପାଇଁ ପ୍ରଶାସନିକ ସ୍ତରରେ ଇଚ୍ଛାଶକ୍ତିର ଅଭାବ ରହୁଛି କି । ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠାଜଳସେଚନ ପ୍ରକଳ୍ପ ଆସୁନି ଚାଷୀଙ୍କ କାମରେ । ଫଳରେ ପାଣି ଅଭାବରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛଲା ପଞ୍ଚାୟତର ଶହ ଶହ ଏକର ଚାଷ ଜମି ଫାଟି ଆଁ କଲାଣି । ଗ୍ରାଉଣ୍ଡ ଜିରୋରୁ ଦେଖିବା ଏହି ରିପୋର୍ଟ
ଚାଷୀଙ୍କ ଦୁଃଖ ଦୁର କରିବା ପାଇଁ ଇନ୍ଦ୍ରାବତୀ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । କଳାହାଣ୍ଡି ଜୟପାଟଣା ବ୍ଲକର ଉଛୁଲା ଓ ରେଙ୍ଗାଲପାଲି ପଞ୍ଚାୟତ ଅଞ୍ଚଳର ଚାଷୀ ଉପକୃତ ହେବାର ଲକ୍ଷ୍ୟ ରହିଥିଲା । ହେଲେ ଏହା ଚାଷୀଙ୍କ କାମରେ ଆସିପାରୁନି । ୨୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ହୋଇଥିଲେ ବି ଠିକା ସଂସ୍ଥାର ମନମାନି କାମ ଯୋଗୁ ଭୋଗୁଛନ୍ତି ଚାଷୀ ମାନେ । ନିମ୍ନ ମାନର ପାଣି ପାଇପ ଲଗାଯାଇଥିବା ଯୋଗୁଁ ଏବେ ୧୪୦ଟି ପଏଣ୍ଟରେ ପାଣି ଆସୁନି । ପାଣି ଅଭାବରୁ ଏକର ଏକର ଚାଷ ଜମି ଫାଟି ଆଁ କରିଛି । ମରୁଡି ପରିସ୍ଥିତି ସୃଷ୍ଟି ହେବା ସହ ଚାଷୀଙ୍କ ଚିନ୍ତା ବଢ଼ିଚାଲିଛି । ସେପଟେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ପ୍ରକଳ୍ପ କାମରେ ଆସୁନଥିବାରୁ ବିଭିନ୍ନ ସ୍ଥାନରେ ଅଭିଯୋଗ କରି ନିରାଶ ହୋଇପଡିଛନ୍ତି ଚାଷୀକୁଳ ।
ଠିକା ସଂସ୍ଥାର ନିମ୍ନମାନର କାମ ପାଇଁ କ୍ଷତି ସହୁଛି ଚାଷୀ । ଅତି ନିମ୍ନମାନର ପାଇପ ପୋତାଯିବାରୁ ବାରମ୍ବାର ଫାଟି ଯାଉଛି । ଚାଷ ଜମିକୁ ଜଳ ସେଚନ ହୋଇପାରୁନି । ଉଠା ଜଳସେଚନ ଦ୍ଵାରା ୧୦୦୦ ହେକ୍ଟର ଜମିକୁ ପାଣି ଯୋଗାଯିବାକୁ ଚୁକ୍ତି ହୋଇଛି । ମାତ୍ର ୫୦୦ ହେକ୍ଟର ଜମିକୁ ମିଳୁଛି ପାଣି । ସମସ୍ୟା ନେଇ ଚାଷୀ ଲିଖିତ ଅଭିଯୋଗ କଲାପରେ ଘଟଣାର ତଦନ୍ତ କରାଯାଇ ସମାଧାନର ବାଟ ବାହାର କରିବାକୁ ମିଳିଛି ପ୍ରତିଶୃତି । ଚାଷଜମି ସବୁ ଫାଟି ଆଁ କରିଥିବା ବେଳେ ଗଛ ସବୁ ପୋଡି ନଷ୍ଟ ହୋଇଗଲାଣି । ଏଥିପ୍ରତି ଗୁରୁତ୍ବ ଦେଇ ଚାଷୀଙ୍କୁ ସହଯୋଗ କରାଯାଇପାରିଲେ ଚାଷୀମାନେ କ୍ଷତିରୁ ରକ୍ଷା ପାଇପାରିବେ ।