କନକ ବ୍ୟୁରୋ : ସାରା ବିଶ୍ୱରେ ଚା'ର ଚାହିଦା ଦେଖିବାକୁ ମିଳେ କିନ୍ତୁ ଭାରତୀୟମାନଙ୍କ ସକାଳର ଆରମ୍ଭ ଚା’ ବିନା ଅଧୁରା । କପେ ଚା’ରୁ ହିଁ ଦିନ ଆରମ୍ଭ କରନ୍ତି ଅଧିକାଂଶ ଲୋକେ । ସେ ଗାଁ ହେଉ ଅବା ସହର,ଛକ ବଜାରର ଦୋକାନ ହେଉ ଅବା ରେଷ୍ଟୁରାଣ୍ଟ୍,ସବୁଠି..ସବୁ ସ୍ଥାନରେ..ଚା’ର ଚାହିଦା ଦେଖିବାକୁ ମିଳେ । ଦିନକୁ ଦିନ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି । କିଛି ଲୋକମାନଙ୍କର ସକାଳ ଆଉ ସଞ୍ଜରେ ଚା’ ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’ପାଳନର ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ୨୦୦୫ରେ ଡିସେମ୍ବର ୧୫ ତାରିଖରେ ‘ଅନ୍ତର୍ଜାତୀୟ ଚା’ ଦିବସ’ପାଳନ କରାଯାଇଥିଲା । କିନ୍ତୁ ମେ’ ୨୧କୁ ‘ଅନ୍ତର୍ଜାତୀୟ ଚା’ ଦିବସ’ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା । ୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ।
ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚା' ଉତ୍ପାଦନକାରୀ ଦେଶ । ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ସେହିପରି ଏହି ଦିନ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଚା’ର ଯୋଗଦାନକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଏ । ବର୍ତ୍ତମାନ ସମୟରେ ଲୋକମାନେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଚା’ ପିଉଛନ୍ତି । ଚଳିତ ବର୍ଷ ‘ଅନ୍ତର୍ଜାତୀୟ ଚା’ ଦିବସ’ର ଥିମ୍ ରହିଛି ‘ ଟି ଫର୍ ବେଟର୍ ଲାଇଫ୍ ’ ।