କନକ ବ୍ୟୁରୋ: ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ଶୁଖାସୋଢ଼ାରେ ନଦୀଶଯ୍ୟା ଶୁଖିଗଲାଣି । ୭ ବର୍ଷ ତଳେ ଯେଉଁ ଶୁଖାସୋଢ଼ାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ, ସେଠାରେ ଏବେ ପାଣି ନାହିଁ । ଏଥିପାଇଁ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଏବଂ ଓଡ଼ିଶା ସରକାରଙ୍କ ନିଷ୍କ୍ରିୟତାକୁ ଲୋକ ଦାୟୀ କରିଛନ୍ତି । ରାଜନୈତିକ ମହଲରେ ଏନେଇ ଦୋଷ ଲଦାଲଦି ଚାଲିଛି।
ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ଝାରସୁଗୁଡ଼ା ଜିଲ୍ଲା ଶୁଖାସୋଢ଼ାରେ ଏବେ ଏଭଳି ଅବସ୍ଥା । ବିଗତ ବର୍ଷଗୁଡ଼ିକରେ ଏହିସ୍ଥାନରେ କିଛିକିଛି ପାଣି ରହୁଥିଲା । କିନ୍ତୁ ଏବର୍ଷ ସେତକ ବି ନାହିଁ । ଫଳରେ ଚାଷକାମ ହୋଇପାରୁନି । ମତ୍ସ୍ୟଜୀବୀ ମଧ୍ୟ ହତାଶ ହୋଇପଡ଼ିଛନ୍ତି । ମହାନଦୀରେ ପାଣି ନଥିବାରୁ ମାଛମରା ଡଙ୍ଗାଗୁଡ଼ିକ ଶୁଖିଲାରେ ପଡ଼ିଛି । ଏହି ଅଞ୍ଚଳରେ ଚାଷରୁ ଆରମ୍ଭ କରି ପାନୀୟଜଳ, ମତ୍ସ୍ୟ ଉତ୍ପାଦନ, ପର୍ଯ୍ୟଟନ ସବୁ କିଛି ମହାନଦୀ ଉପରେ ନିର୍ଭର କରୁଥିଲା । କିନ୍ତୁ ମହାନଦୀ ପାଣି ନଥିବାରୁ ଲୋକ କାମ ଧନ୍ଦା ନପାଇ ଦାଦନ ଯିବାକୁ ବାହାରିଲେଣି ।
ଛତିଶଗଡ଼ କଲ୍ମା ବ୍ୟାରେଜ୍ ନିର୍ମାଣ କରିବା ପୂର୍ବରୁ ଶୁଖାସୋଢ଼ାରେ ବର୍ଷ ତମାମ୍ ପ୍ରାୟ ୩୦ ଫୁଟ୍ ଗଭୀର ପାଣି ରହୁଥିଲା । କଲମା ବ୍ୟାରେଜ ପାଇଁ କେବଳ ଶୁଖାସୋଢ଼ା ନୁହେଁ, ମହାନଦୀ ପ୍ରବାହିତ ଓଡ଼ିଶାର ୧୫ଟି ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ଟ୍ରିପଲ୍ ଇଞ୍ଜିନ ସରକାରଙ୍କୁ ଦାୟୀ କରିଛନ୍ତି । ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବ ସରକାରକୁ ଦାୟୀ କରିବା ସହ ବର୍ତ୍ତମାନର ବିଜେପି ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ୟମ କରୁଥିବା କହିଛନ୍ତି।