କନକ ବ୍ୟୁରୋ : କର୍ଫ୍ୟୁ ହଟିବା ପରେ ଆଜି ଦ୍ବିତୀୟ ଦିନରେ ଚଳଚଞ୍ଚଳ ସିଲଭର ସିଟି କଟକ । ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇଥିଲେ ବି କିଛି ସମ୍ବେଦନଶୀଳ ସ୍ଥାନରେ ଜଗି ରହିଛନ୍ତି କେନ୍ଦ୍ରୀୟ ଫୋର୍ସ । ଗତକାଲି ସଂଧ୍ୟାରୁ ଇଣ୍ଟରନେଟ୍ କଟକଣା ବି ହଟିଛି । ସହରରେ ଏବେ ସ୍ବାଭାବିକ ହେଲାଣି ସ୍ଥିତି ।
କଟକ ଚୌଧୁରୀ ବଜାର ଫୁଲ ମାର୍କେଟର ଗ୍ରାହକଙ୍କ ଏତେ ଭିଡ଼ ଯେ ଫୁଲ ବ୍ୟବସାୟୀଙ୍କ ହାତକୁ ଫୁରସତ ନାହିଁ । କର୍ଫ୍ୟୁ କଟକଣା ହଟିବାର ଆଜି ଦ୍ୱିତୀୟ ଦିନରେ ବେଶ୍ ଚଳଚଞ୍ଚଳ ରହିଛି ବଜାର । ସେହିପରି ଡ୍ରେସ୍ ବ୍ୟବସାୟୀବି ନିଜ ଦୋକାନ ଖୋଲି ସୁରୁଖୁରୁରେ ବେପାର କରୁଛନ୍ତି । କଟକକୁ ପୁଣି ଥରେ ଏପରି ଗତିଶୀଳ ଅବସ୍ଥାରେ ଦେଖି ଖୁସି ଜାହିର କରିଛନ୍ତି ସଭିଏଁ ।
ଗତକାଲି କର୍ଫ୍ୟୁ ହଟିବାର ଥିଲା ପ୍ରଥମ ଦିନ । ପ୍ରଥମ ଦିନରେ କିଛି ଦୋକାନ ବଜାର ଖୋଲି ଥିଲେ ବି କିଛି କିଛି ବନ୍ଦ ରହିଥିଲା । ଆଜି ଦ୍ବିତୀୟ ଦିନରେ ପ୍ରାୟ ସବୁ ଦୋକାନ ବଜାର ଖୋଲିଛି । ଗତକାଲି ସଂଧ୍ୟା ୭ଟା ପରେ ଇଣ୍ଟରନେଟ୍ କଟକଣା ହଟିବା ପରେ ଲୋକେ ଖୁସି ହୋଇଛନ୍ତି ।
କର୍ଫ୍ୟୁ ହଟିଥିଲେ ବି ଏବେ ବି ୧୩ଟି ଥାନା ଅଧୀନରେ ଥିବା ସ୍ପର୍ଶକାତର ଅଞ୍ଚଳରେ ପୁଲିସ ମୁତୟନ ଅଛନ୍ତି । ଗୁଜବକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।