କନକ ବ୍ୟୁରୋ : ଅସୁରକ୍ଷିତ ନଦୀ ଓ ସତର୍କତା ଅଭାବରୁ ଗୋଟିଏ ଦିନରେ ତିନୋଟି ସ୍ଥାନରେ ଯାଇଛି ୬ଜଣଙ୍କ ଜୀବନ । ନୟାଗଡ଼ ଦଶପଲ୍ଲା ଥାନା ବୁଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର ରିତେଶ ପ୍ରଧାନ ଓ ବାହାଡାଝୋଲା ପୋଡ଼ାସାହି ଗାଁର ଶୁଭ ଖିଲାରଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ତିନିହେଁ ମିଶି ସକାଳୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି ।
କାଠଯୋଡିରେ ବୁଡି ୧୩ ବର୍ଷର ନାବାଳକ ସୂର୍ଯ୍ୟକାନ୍ତ ମାଝିଙ୍କ ଜୀବନ ଯାଇଛି । ୩ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇଥିଲେ ଖାନନଗର ଅଞ୍ଚଳର ସୂର୍ଯ୍ୟକାନ୍ତ । ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ଖୋଜାଖୋଜି ହୋଇଥିଲେ ବି ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନି।
କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଗରଗଡବାହାଳ ଗାଁ ନିକଟ ମୂଷଳ ନଦୀରେ ବୁଡ଼ି ଚାଲିଯାଇଛି ୨ଜଣଙ୍କ ଜୀବନ। ଉଭୟ ଯାଜପୁର ଡୁବୁରୀର ଏକ ପ୍ଲାଣ୍ଟରେ କାମ କରୁଥିଲେ । ମୂଷଳ ନଦୀ କୂଳରେ ପାହାଡ ଚଢ଼ି ପାଟହରା ଗୁମ୍ଫାକୁ ଯାଉଥିବା ବେଳେ ଖସିପଡ଼ି ଉଭୟଙ୍କ ଜୀବନ ଯାଇଛି ।
ପ୍ରତିଦିନ କେଉଁଠି ଆସୁଛି ଏଭଳି ଅଘଟଣର ଖବର । ସରକାରଙ୍କ ତଥ୍ୟ ଅନୁସାରେ, ପାଣିରେ ବୁଡ଼ି ଗତ ୩ ବର୍ଷରେ ରାଜ୍ୟରେ ୨ ହଜାରରୁ ଅଧିକ ଜୀବନ ଯାଇଛି । କଟକ, ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ ଅଧିକ ମୃତ୍ୟୁ ହୋଇଛି । କଟକରେ ଗତ ୩ ବର୍ଷରେ ୨୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୨୫୧ ଜଣଙ୍କ ମୃତ୍ୟୁ ଘଟିଛି । ନଦୀ, ସମୁଦ୍ର କିମ୍ବା ପୋଖରୀରେ ବୁଡ଼ି ଏହି ସବୁ ମୃତ୍ୟୁ ହୋଇଛି । ହେଲେ ବିଡମ୍ବନାର ବିଷୟ ବିଦ୍ୟାଳୟ ଶିକ୍ଷାରେ ଏଯାଏଁ ସନ୍ତରଣକୁ ସାମିଲ କରାଯାଇ ନାହିଁ । ଯଦି ପାଠ୍ୟକ୍ରମରେ ସନ୍ତରଣକୁ ସାମିଲ କରାଯାଆନ୍ତା, ପିଲାମାନେ ସନ୍ତରଣରେ ତାଲିମ ପାଆନ୍ତେ, ତାହେଲେ ହୁଏତ ମୃତ୍ୟୁ ସଂଖ୍ୟା କମ୍ ହୋଇଥାନ୍ତା।
ବିପଦ ଶଙ୍କୁଳ ନଦୀ ଓ ସମୁଦ୍ର କୂଳରେ ଉପଯୁକ୍ତ ସୁରକ୍ଷା ଓ ସତର୍କ ସୂଚନାର ଆବଶ୍ୟକତା ରହିଛି ।