କନକ ବ୍ୟୁରୋ: ଅଧିକ ରାତିରେ ରାଜଧାନୀର ରାଜରାସ୍ତାରେ ଯାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । ଏଠି ଯେ କୌଣସି ମୂହୁର୍ତ୍ତରେ ଆପଣଙ୍କୁ ମୃତ୍ୟୁ ସହ ସାମ୍ନା କରିବାକୁ ପଡ଼ିପାରେ । ଏଇଥିପାଇଁ ଯେ ଏଠି କମିସନରେଟ୍ ଧାର୍ଯ୍ୟ କରୁଥିବା ବେଗଠୁ ବେଶ୍ ଅଧିକ ବେଗରେ ଗଡ଼ୁଛି ଭାରିଯାନ। ନା ଅଛି ପ୍ରଶାସନକୁ ଭୟ ନା ଅଛି ଲୋକଙ୍କ ଜୀବନକୁ ଖାତିର୍ ।
ପୁଲିସ ପ୍ରଶାସନର ସବୁ କଟକଣାକୁ ଦଳି ଚକଟି ଦେଉଛନ୍ତି ଗାଡ଼ିଚାଳକ । ଆଉ ସବୁ ଦେଖି ହାତ ବାନ୍ଧି ବସିଛି ପୁଲିସ। ପରିଣାମ ହେଲା, ରାଜଧାନୀ ରାଜରାସ୍ତାରେ ବଢ଼ୁଛି ଦୁର୍ଘଟଣା, ଲିଭୁଛି ଜୀବନ ଦୀପ। କେବଳ ମଣିଷ ନୁହେଁ, ବୁଲା ଗାଈ ଗୋରୁଙ୍କ ଜୀବନ ହଜିଯାଉଛି ରାସ୍ତାରେ। ଦ୍ରୁତ ବେଗ, ମଦ୍ୟପାନ, ଓଭର ଲୋଡି଼ଂ କରି ବେଧଡକ ଗାଡିଚଳାଉଥିବା ଡ୍ରାଇଭରଙ୍କ ପାଇଁ କଣ ଆଇନ ନିରବ ?
ରାଜଧାନୀ ରାଜରାସ୍ତାରେ ପାଦେ ପାଦେରେ ବିପଦ। ରାତି ହେଲେ କମିସନରେଟ୍ ପୁଲିସର ସବୁ ଟ୍ରାଫିକ କଟକଣାକୁ ଫୁ କରି ଉଡ଼ାଇ ଦେଉଛନ୍ତି ଗାଡ଼ି ଚାଳକ । ଛାତି ଉପରେ ବେପରୁଆ ଢଙ୍ଗରେ ଗାଡ଼ି ଗଡ଼ୁଛି। ପ୍ରତି ଦିନ ଯାଉଛି ଅମୂଲ୍ୟ ଜୀବନ । କେତେ ଦିନ ଚୁପ୍ ରହିବ କମିସନରେଟ୍ ପୁଲିସ? ପରିବହନ ବିଭାଗ ?