କନକ ବ୍ୟୁରୋ: ବଣ୍ତାଘାଟି । ଆଦିମ ଜନଜାତିଙ୍କ ଆବାସ ସ୍ଥଳୀ । ବଣ୍ଡା ମଣିଷଙ୍କ ବିଶ୍ବାସର ସ୍ଥାନ । ପ୍ରକୃତି ମଣିଷ ବଞ୍ଚିବାକୁ କରନ୍ତି ଏଠି ସଂଘର୍ଷ । ଘାଟିରୁ ରୋଜଗାର ଛଡ଼ାଇନିଏ ବର୍ଷା ଋତୁ । ଜନଜାତିଙ୍କ ମାଟି କୁଡ଼ିଆ ଓ ବର୍ଷକର ଜଙ୍ଗଲଜାତ ଦ୍ରବ୍ୟ ଏମାନଙ୍କ ପାଇଁ ଖାଦ୍ୟର ପ୍ରତୀକ । ପେଟ ପୋଷିବାକୁ ବର୍ଷା ଦିନେ ଉପାୟଶୂନ୍ୟ ।
ବର୍ଷାଦିନେ କେମିତି ଅଛି ବଣ୍ଡାଘାଟି ? କେମିତି କଟୁଛି ଦିନ ? ମାଟି କୁଡ଼ିଆରେ ଜୀବନ...ଜୀବିକା ପାଇଁ ଉପାୟଶୂନ୍ୟ ଆଦିମ ଜନଜାତି ବଣ୍ଡା । ଖାଦ୍ୟପେୟ ଠାରୁ ଆରମ୍ଭ କରି ଚାଲିଚଳଣି, ବେଶଭୂଷା ଅନ୍ୟମାନଙ୍କଠାରୁ ନିଆରା । ଚାଷ କରି ପେଟ ପୋଷୁଥିବା ବଣ୍ଡାଙ୍କ ପାଇଁ ଖୁବ୍ କଷ୍ଟକର ବର୍ଷାଋତୁ । ଘାଟିରେ ଠପ୍ ହୋଇଯାଏ ଉନ୍ନୟନ କାମ । ରୋଜଗାରର ବାଟରେ ବାଧକ ସାଜେ ବର୍ଷା ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ଠାରୁ ୧୪ କିଲୋମିଟର ଦୂର ପାହାଡ଼ ଉପରେ ବଣ୍ଡା ସମ୍ପ୍ରଦାୟର ଜନଜାତିଙ୍କ ବାସ । ଝାଟିମାଟି କୁଡ଼ିଆରେ ପାହାଡ଼ି ଜୀବନ । ବର୍ଷାଦିନ ପାଇଁ ପାରମ୍ପରିକ ଖାଦ୍ୟ ସଂଗ୍ରହ କରନ୍ତି ମହିଳା । କିଏ ଧାନ କୁଟନ୍ତି, ତ ଆଉ କିଏ ପାରମ୍ପରିକ ଖାଦ୍ୟଶସ୍ୟ ମହଜୁଦ ରଖନ୍ତି ।
ବଣ୍ଡାଘାଟି କିର୍ଷାନୀପଡ଼ା ଗାଁର ବୁଢ଼ୀ ମା’ଟି ଭତ୍ତା ଟଙ୍କାରେ ୪ଟି ଝିଅଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବା ଲକ୍ଷ୍ୟ ରଖିଛନ୍ତି । ଧାର କରଜ କରି ପିଲାଙ୍କ ସ୍ୱପ୍ନ ପୂରଣ ପାଇଁ ଲାଗିଛନ୍ତି । ବର୍ଷା ସରିଗଲେ, ମୂଲମଜୁରୀ ଲାଗି ହାତଉଧାରି ସୁଝିବାକୁ ଉଦ୍ୟମ କରନ୍ତି । ସ୍ଥାନୀୟ ଅଞ୍ଚଳର ବୁଦାଇଙ୍କ ଭଳି ସମସ୍ତେ ଏଠି ଅହରହ ସଂଘର୍ଷ କରନ୍ତି । ଛୋଟ ଛୋଟ କୁଡ଼ିଆ ଭିତରେ ଆଧୁନିକତାର ଛାପ ବି ପଡ଼ିନି । ଆଉ ବର୍ତ୍ତମାନର ସ୍ଥିତି ଦେଖିଲେ ଲାଗୁଛି, ନୂଆ ପରିଚୟ ପାଇଁ ଆଉ ଶହେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ।
ପ୍ରକୃତି ମଣିଷଙ୍କ ପ୍ରକୃତ ଚଳଣି । ବଣଜଙ୍ଗଲରେ ବଞ୍ଚିବାକୁ ଭଲପାଉଥିବା ବଣ୍ଡା ଜନଜାତିଙ୍କ ଚଳଣିରେ ପରିବର୍ତ୍ତନର ବାଟ ଫିଟାଇବା ପ୍ରଶାସନ ପାଇଁ କଷ୍ଟକର । ଏବେ ବି ଭଙ୍ଗା କୁଡ଼ିଆରେ ରହୁଛନ୍ତି । କିନ୍ତୁ ପାରମ୍ପରିକ ଘରକୁ ଭାଙ୍ଗି ସରକାରୀ ଘର କରିବା ପାଇଁ ଆଗ୍ରହୀ ନୁହଁନ୍ତି ଘାଟି ମଣିଷ ।