କନକ ବ୍ୟୁରୋ: ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ଏବେ ନିଜ ନାମ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛି । କମ୍ପାନି ୨୪ ଘଣ୍ଟାରେ ସବୁଠାରୁ ଅଧିକ ଜୀବନ ବୀମା ପଲିସି ବିକ୍ରି କରି ଏହି ରେକର୍ଡର ଅଧିକାରୀ ହୋଇପାରିଛି । ଏଲଆଇସି ତରଫରୁ ଶନିବାର ଦିନ କୁହାଯାଇଛି କି, ଗତ ୨୦ ତାରିଖରେ ୨୪ ଘଣ୍ଟା ମଧ୍ୟରେ କମ୍ପାନି ସର୍ବାଧିକ ପଲିସି ବିକ୍ରି କରି ଏହି ରେକର୍ଡ କରିଛି ।
ଏହି ଐତିହାସିକ ସଫଳତାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ତରଫରୁ ଯାଂଚ କରାଯାଇଛି । ଏହାସହ ଗିନିଜ ୱାର୍ଲଡ୍ ରେକର୍ଡସ ପକ୍ଷରୁ ଜାନୁଆରୀ ୨୦ ତାରିଖରେ ଏଲଆଇସି ନେଟୱର୍କର ଶ୍ରେଷ୍ଠ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ପ୍ରଦାନ କରିଛି । ଜାନୁଆରୀ ୨୦ ତାରିଖରେ ଦେଶବ୍ୟାପୀ ଏଲଆଇସି ତରଫରୁ ମୋଟ ୮ ଲକ୍ଷ ୮୮ ହଜାର ୧୦୭ ଟି ଜୀବନ ବୀମା ପଲିସି ବିକ୍ରି କରାଯାଇଛି । ଏଲଆଇସି ତରଫରୁ କୁହାଯାଇଛି କି, କମ୍ପାନିର ଇତିହାସରେ ୨୪ ଘଣ୍ଟା ଭିତରେ ଏହା ବିକ୍ରି ହୋଇଥିବା ସର୍ବାଧିକ ପଲିସି ।
କମ୍ପାନି ତରଫରୁ କୁହାଯାଇଛି କି, ଏହା ଆମ ଏଜେଣ୍ଟମାନଙ୍କର ପ୍ରଚେଷ୍ଠା ପାଇଁ ହୋଇପାରିଛି । ଏହି ସଫଳତା ଆମର ଗ୍ରାହକମାନଙ୍କ ଏବଂ ସେମାନଙ୍କ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁରକ୍ଷା ଦେବାରେ ଆମର ମିଶନ ପ୍ରତି ଗଭୀର ପ୍ରତିବଦ୍ଧତା ପ୍ରଦର୍ଶିତ କରେ ।
ଏହି ରେକର୍ଡର ପ୍ରୟାସ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି କରିଥିଲେ । ସେ ସମସ୍ତ ଏଜେଣ୍ଟମାନଙ୍କୁ ଜାନୁଆରୀ ୨୦ରେ "ମ୍ୟାଡ୍ ମିଲିୟନ ଡେ' ରେ ଅତି କମରେ ଗୋଟିଏ ଲେଖାଏଁ ପଲିସି କରିବାକୁ ଅନୁରୋଧ କରିଥିଲେ ।