କନକ ବ୍ୟୁରୋ : ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ସାରା ଦେଶ କାରଗିଲ୍ ବିଜୟ ଦିବସ ପାଳନ କରେ । ୧୯୯୯ ମସିହାରେ ଆମ ବୀର ଯବାନମାନଙ୍କ ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ବଳିଦାନକୁ ମନେ ପକାଇବା ପାଇଁ ଏହି ଦିନ ପାଳନ କରାଯାଏ । ଏହି ଯୁଦ୍ଧ ଭାରତକୁ ବହୁତ କିଛି ଶିକ୍ଷା ଦେଇଛି । କାର୍ଗିଲ ଯୁଦ୍ଧ କେବଳ ଏକ ସାମରିକ ବିଜୟ ନଥିଲା, ଏହା ଭାରତର ପ୍ରତିରକ୍ଷା ନୀତି, କୂଟନୀତି ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା । ଏହି ଯୁଦ୍ଧ ଭାରତକୁ ବହୁତ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଥିଲା । ଯାହା ଆଜିର ମଜଭୁତ ଭାରତର ମୂଳଦୁଆ ପକାଇଥିଲା ।
୧. ଗୁଇନ୍ଦା ବିଫଳତା ଏବଂ ଏହାର ସୁଧାର :
କାରଗିଲ୍ ଯୁଦ୍ଧର ସବୁଠାରୁ ବଡ଼ ଶିକ୍ଷା ଥିଲା ଗୁଇନ୍ଦା ବ୍ୟବସ୍ଥାରେ ଥିବା ତ୍ରୁଟି । ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀମାନେ ଅତି ସହଜରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରି ଉଚ୍ଚ ପାହାଡ଼ଗୁଡ଼ିକ ଉପରେ କବ୍ଜା କରିନେଇଥିଲେ । ଯାହାର ସୂଚନା ଆମ ଗୁଇନ୍ଦା ସଂସ୍ଥାମାନଙ୍କୁ ସମୟ ପୂର୍ବରୁ ମିଳିପାରି ନଥିଲା । ଏହି ଘଟଣା ପରେ ଭାରତ ନିଜର ଗୁଇନ୍ଦା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ସମୀକ୍ଷା କଲା । ଫଳସ୍ୱରୂପ, ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି (DIA), ନ୍ୟାସନାଲ ଟେକ୍ନିକାଲ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (NTRO) ଭଳି ସଂସ୍ଥା ଗଠନ କରାଗଲା ଏବଂ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନକୁ ଅଧିକ ମଜଭୁତ କରାଗଲା ।
୨. ସେନାର ଆଧୁନିକୀକରଣର ଆବଶ୍ୟକତା :
ଏହି ଯୁଦ୍ଧ ସ୍ପଷ୍ଟ କରିଦେଲା ଯେ ଭାରତୀୟ ସେନାକୁ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଲଢ଼ିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଉପକରଣର ଜରୁରୀ ଆବଶ୍ୟକତା ରହିଛି । ଯୁଦ୍ଧ ସମୟରେ ବୋଫର୍ସ ବନ୍ଧୁକର ପ୍ରଭାବଶାଳୀ ବ୍ୟବହାର ଏହାର ମହତ୍ତ୍ୱକୁ ଦର୍ଶାଇଥିଲା । ଏହା ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହ ଆମେରିକା, ଇସ୍ରାଏଲ୍ ଓ ଋଷିଆ ଭଳି ଦେଶରୁ ଆଧୁନିକ ଯୁଦ୍ଧାସ୍ତ୍ର କ୍ରୟ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲା ।
୩. ତିନି ସେନା ମଧ୍ୟରେ ସମନ୍ୱୟର ଗୁରୁତ୍ୱ:
କାରଗିଲ୍ ଯୁଦ୍ଧରେ ଭାରତୀୟ ସ୍ଥଳସେନା ଏବଂ ବାୟୁସେନା ମଧ୍ୟରେ ଦେଖାଯାଇଥିବା ଅଭୂତପୂର୍ବ ସମନ୍ୱୟ ବିଜୟର ଏକ ମୁଖ୍ୟ କାରଣ ଥିଲା । ବାୟୁସେନାର 'ଅପରେସନ୍ ସଫେଦ୍ ସାଗର' ଶତ୍ରୁମାନଙ୍କୁ ଉପରୁ ଆକ୍ରମଣ କରି ସ୍ଥଳସେନାର କାମକୁ ବହୁତ ସହଜ କରିଦେଇଥିଲା । ଏହି ଯୁଦ୍ଧରୁ ଶିକ୍ଷା ଲାଭ କରି ଭବିଷ୍ୟତରେ ତିନି ସେନା ମଧ୍ୟରେ ଆହୁରି ଭଲ ସମନ୍ୱୟ ପାଇଁ 'ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍' (CDS) ପଦ ସୃଷ୍ଟି କରିବାର ବିଚାର ମଧ୍ୟ ମଜଭୁତ ହୋଇଥିଲା ।
୪. କୂଟନୈତିକ ସ୍ତରରେ ବିଜୟ :
ଯୁଦ୍ଧକ୍ଷେତ୍ର ସହିତ ଭାରତ କୂଟନୈତିକ କ୍ଷେତ୍ରରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ପରାସ୍ତ କରିଥିଲା । ଭାରତ ସାରା ବିଶ୍ୱକୁ ଏହା ସ୍ପଷ୍ଟ କରିବାରେ ସଫଳ ହେଲା ଯେ ପାକିସ୍ତାନ ହିଁ ଆକ୍ରମଣକାରୀ ଏବଂ ଶିମଲା ଚୁକ୍ତିର ଉଲ୍ଲଂଘନ କରିଛି । ଏହାର ଫଳ ସ୍ୱରୂପ, ଆମେରିକା ସମେତ ଅନ୍ୟାନ୍ୟ ପ୍ରମୁଖ ଦେଶମାନେ ପାକିସ୍ତାନ ଉପରେ ଚାପ ପକାଇଥିଲେ, ଯାହା ଭାରତର ବିଜୟ ପାଇଁ ସହାୟକ ହୋଇଥିଲା ।
୫. ଦେଶ ହିତରେ ମିଡିଆର ଭୂମିକା ଏବଂ ଜାତୀୟ ଏକତା :
କାରଗିଲ୍ ଯୁଦ୍ଧ ଭାରତର ପ୍ରଥମ ଯୁଦ୍ଧ ଯାହାକି , ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ଗୁଡ଼ିକ ଯୁଦ୍ଧଭୂମିର ଖବର ସିଧାସଳଖ ଲୋକଙ୍କ ଘରେ ପହଞ୍ଚାଇଥିଲେ। ଏହା ଦେଶବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଦେଶପ୍ରେମ ଏବଂ ଏକତାର ଭାବନା ସୃଷ୍ଟି କରିଥିଲା, ଯାହା ସେନାକୁ ମନୋବଳ ଦେବାରେ ସାହାଯ୍ୟ କଲା ।
ଏହି ଯୁଦ୍ଧରୁ ମିଳିଥିବା ଶିକ୍ଷା ଆଧାରରେ ଭାରତ ଆଜି ପ୍ରତିରକ୍ଷା କ୍ଷେତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହୋଇଛି । ଯାହା କୌଣସି ବି ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସାମଗ୍ରିକ ଭାବେ, କାରଗିଲ୍ ଯୁଦ୍ଧ ଭାରତ ପାଇଁ କେବଳ ଏକ ସାମରିକ ବିଜୟ ନଥିଲା, ବରଂ ଏହା ଏକ ନିର୍ଣ୍ଣାୟକ ମୋଡ଼ ଥିଲା । ଏହା କେବଳ ବୀରତ୍ୱର ବିଜୟ ନଥିଲା, ବରଂ ବଳିଦାନରୁ ମିଳିଥିବା ଏକ ମହଙ୍ଗା ଶିକ୍ଷା ଥିଲା । ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣଠାରୁ ଆରମ୍ଭ କରି ସେନାର ଆଧୁନିକୀକରଣ ଏବଂ କୂଟନୈତିକ ରଣନୀତି ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜକୁ ନୂଆ ଭାବେ ଗଢ଼ିଥିଲା । ସେହି ବରଫାବୃତ ପାହାଡ଼ରୁ ମିଳିଥିବା ଶିକ୍ଷା ହିଁ ଆଜିର ଅଧିକ ସତର୍କ, ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ । ଆଜି ଯେତେବେଳେ ଆମେ 'ବିଜୟ ଦିବସ' ପାଳନ କରୁଛୁ, ଆମେ କେବଳ ଆମ ବୀରଙ୍କ ଶୌର୍ଯ୍ୟକୁ ମନେ ପକାଉନାହୁଁ, ବରଂ ସେହି ମୂଲ୍ୟବାନ ଶିକ୍ଷାକୁ ମଧ୍ୟ ସ୍ମରଣ କରୁ, ଯାହା ଆମ ସୀମାକୁ ସବୁଦିନ ପାଇଁ ସୁରକ୍ଷିତ କରିବା ସହ ଆମ ରାଷ୍ଟ୍ରକୁ ଅଧିକ ମଜଭୁତ କରିଛି ।