କନକ ବ୍ୟୁରୋ : ରାଜ୍ୟରେ ଜେଲ୍‌ ସଂସ୍କାର ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଏଯାଏଁ ସ୍ଥିତିରେ ଆସିପାରୁନି ସୁଧାର । ଜିଲ୍ଲା ଓ ସବ୍‌ ଜେଲ୍‌କୁ ମିଶାଇ ୧୧ଟି ଜେଲ୍‌ରେ କ୍ଷମତାଠାରୁ ଅଧିକ ରହୁଛନ୍ତି କଏଦୀ । ସରକାରୀ ରିପୋର୍ଟ କହୁଛି, ଭଦ୍ରକ ଜିଲ୍ଲା କାରାଗାରରେ ୫୫, ବଲାଙ୍ଗୀର ଜିଲ୍ଲା କାରାଗାରରେ ୩୫, ଯାଜପୁର ଜିଲ୍ଲା କାରାଗାରରେ ୩୨ ଓ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ୫ ଜଣ କଏଦୀ କ୍ଷମତାଠାରୁ ଅଧିକ ଅଛନ୍ତି । ସେହିପରି ବାଙ୍କୀ ସବ୍‌ଜେଲ୍‌ରେ ୫, କାମାକ୍ଷାନଗର ସବ୍‌ଜେଲ୍‌ରେ ୯, କୋଦଳା ସବ୍‌ଜେଲ୍‌ରେ ୧୯, ରାୟଗଡ଼ା ସବ୍‌ଜେଲ୍‌ରେ ୨୭ ଜଣ କଏଦୀ କ୍ଷମତା ତୁଳନାରେ ଅଧିକ । 

Advertisment

ବ୍ରହ୍ମପୁର ସର୍କଲ ଜେଲ୍‌ ଓ ଭୁବନେଶ୍ବର ସ୍ପେଶାଲ ଜେଲ୍‌ରେ ବି ଭୟଙ୍କର ସ୍ଥିତି । ବ୍ରହ୍ମପୁର ସର୍କଲ ଜେଲ୍‌ରେ ୯୨୪ କଏଦୀ ରହିବା ବଦଳରେ ରହୁଛନ୍ତି ୯୩୮ । ଏଠାରେ କ୍ଷମତାଠାରୁ ୪୩ ଜଣ ପୁରୁଷ କଏଦୀ ଅଧିକ ରହୁଛନ୍ତି । ଆଉ ଭୁବନେଶ୍ବର ସ୍ପେଶାଲ ଜେଲ୍‌ରେ ୯୯୧ ଜଣ କଏଦୀ ରହିବା ସ୍ଥାନରେ ରହୁଛନ୍ତି ୧୦୦୧ । ଏଠାରେ ଉଭୟ ପୁରୁଷ ଓ ମହିଳା କଏଦୀଙ୍କ ସଂଖ୍ୟା ଅଧିକ । ଚୌଦ୍ବାର ଓ ବ୍ରହ୍ମପୁର ସର୍କଲ ଜେଲ୍‌ ସହ ରାଉରକେଲା ସ୍ପେଶାଲ ଜେଲ୍‌ରେ ୧୦ ଲେଖାଏଁ ତୃତୀୟ ଲିଙ୍ଗୀ କଏଦୀ ରହିବା ପାଇଁ ବ୍ୟବସ୍ଥା ଅଛି । ତା’ ସତ୍ତ୍ବେ ଭୁବନେଶ୍ବର ସ୍ପେଶାଲ ଜେଲ୍‌ରେ ୨ ଜଣଙ୍କ ସହ ଭବାନୀପାଟଣା ଓ ବଲାଙ୍ଗୀର ଜିଲ୍ଲା କାରାଗାରରେ ଜଣେ ଲେଖାଏଁ ତୃତୀୟ ଲିଙ୍ଗୀ କଏଦୀ ଏବେ ବି କାଟୁଛନ୍ତି ବନ୍ଦୀ ଜୀବନ । କେଉଁ ଜେଲ୍‌ରେ କେତେ କଏଦୀ ରହିପାରିବେ, ତାର ବ୍ୟବସ୍ଥା କରିଛନ୍ତି ସରକାର। ହେଲେ ଶୁଣିବାକୁ କିଏ ଅଛି, ନା ଦେଖିବାକୁ ।