କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ପରେ ଏବେ ସ୍ୱାଭିମାନ ଅଞ୍ଚଳରେ ସାମନାକୁ ଆସିଛି ଲେମନ ଗ୍ରାସ ମହାଦୁର୍ନୀତିର ଚିତ୍ର। ଗୋଟିଏ ଫଳକରେ ବାରମ୍ବାର ନାଁ ପରିବର୍ତ୍ତନ କରି କୋଟି କୋଟି ଟଙ୍କା ହରି ଲୁଟ ହେଉଥିବା ଦେଖିବାକୁ ପାଇଛି କନକ ନ୍ୟୁଜ। ସ୍ୱାଭିମାନ ଅଞ୍ଚଳର ମୁଖଦ୍ୱାରରେ ଥିବା ଅର୍ଣଭାଟା ଗାଁର ପ୍ରାୟ ୧୫ ଲୋକଙ୍କ ୧୫ ଏକର ଜମିରେ ଲେମନ ଗ୍ରାସ ଲଗାଇ ଆଇଟିଡିଏ କୋଟି କୋଟି ଟଙ୍କା ହରି ଲୁଟ କରିଥିବା ଜଳ ଜଳ ହୋଇ ଦେଖାଯାଉଛି। 

Advertisment
  • ୫ ହେକ୍ଟର ବଦଳରେ ୨ ଏକର
  • ଖାଇଗଲେ ତାରବାଡ଼, ଖାଇଗଲେ ସାର

ଅର୍ଣଭାଟା ଗାଁରେ ୧୬ ଲକ୍ଷ ୫୫ ହଜାର ବ୍ୟୟ ଅଟକଳ ମୂଲ୍ୟରେ ୬ଟି ପ୍ରକଳ୍ପ ଲାଗି ଗତ ଏପ୍ରିଲ, ମେ ଓ ଜୁନ ମାସରେ କାମ ଆରମ୍ଭ ହୋଇଥିବା ତଥ୍ୟ କହୁଛି । ତେବେ ୩୦ହେକ୍ଟର ବଦଳରେ ୫ରୁ ୬ ହେକ୍ଟର ଜମିରେ ୧୮ଲକ୍ଷ ଚାରା ବଦଳରେ ୪୦ରୁ ୫୦ହଜାର ଚାରା ଲଗାଇ କାମ ସାରି ଦେଲା ଆଇଟିଡିଏ। ଆଉ ଲେମନ ଗ୍ରାସ ନାଁରେ କେବଳ ୨୦୦ ଟଙ୍କା ମଜୁରୀ ଦେଇ ଏଜେଣ୍ଟ ମାଧ୍ୟମରେ ସବୁ ଟଙ୍କା ଆଇଟିଡିଏ ହଡପ କରିଥିବା କହିଛନ୍ତି ଗ୍ରାମବାସୀ । 

ସେପଟେ ମନରେଗା ୱେବସାଇଟର ତଥ୍ୟ କହୁଛି, କେବଳ ସ୍ୱାଭିମାନ ଅଞ୍ଚଳରେ ୨୦୨୩-୨୪ ଆର୍ଥିକ ବର୍ଷରେ ଆଇଟିଡିଏ ପକ୍ଷରୁ ୫୩ଟି ଲେମନ ଗ୍ରାସ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଆଟିଡିଏ ଓ ଓଟିଏଲପିକୁ ମିଶାଇ ୨୯ଟି ପ୍ରକଳ୍ପ ବାବଦକୁ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ହାତକୁ ନିଆ ଯାଇଛି। ତେବେ ସ୍ୱାଭିମାନ ଅଞ୍ଚଳରେ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ କହିଛନ୍ତି ଚିତ୍ରକୋଣ୍ଡାର କଂଗ୍ରେସ ବିଧାୟକ ମଙ୍ଗୁ ଖିଲ।