କନକ ବ୍ୟୁରୋ: ସରଗରମ ହେଲା ନୀଳଗିରି ପଲିଟିକ୍ସ । ହାତୀ ଦାନ୍ତ ଲୁଟ୍ ଘଟଣାରେ ମୁହାଁମୁହିଁ ହୋଇଛନ୍ତି ବର୍ତ୍ତମାନର ବିଜେପି ବିଧାୟକ ସନ୍ତୋଷ ଖଟୁଆ ଆଉ ବିଜେଡିର ଏମପି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ଦୁଇ ନେତା ପରସ୍ପରକୁ ଏମିତି ଟାର୍ଗେଟ୍ କରିଛନ୍ତି ଯେ, ଲେଖାଶ୍ରୀଙ୍କୁ ସିଧା ମୋଦୀଙ୍କୁ ଟ୍ୟାଗ୍ କରି ଟୁଇଟ୍ କରିବାକୁ ପଡିଛି ।
ପ୍ରିୟ ମୋଦି ଜୀ @narendramodi,
— Lekha Samantsinghar (@DrLekhaShree) July 3, 2025
ଦୟାକରି ଆପଣଙ୍କ ଓଡ଼ିଶାର ବିଧାୟକ ମହିଳା ରାଜନେତାଙ୍କ ବିଷୟରେ କହୁଥିବା କଥା ଶୁଣନ୍ତୁ। ଏହା ହେଉଛି ବିଜେପି ନେତା ଙ୍କ ପ୍ରକୃତ ଚେହେରା l ମୁଁ ଜାଣେ, ଆପଣଙ୍କ ପିଏମଓ @PMOIndia ଏବଂ ପାର୍ଟିରେ ବହୁତ ଦକ୍ଷ ଏବଂ ବୁଦ୍ଧିମାନ ଓଡ଼ିଆ ଅଧିକାରୀ ଅଛନ୍ତି। ଦୟାକରି ସେମାନଙ୍କୁ ଆପଣଙ୍କ ପାଇଁ ଏଇ ଭିଡିଓ… pic.twitter.com/09l45zPFby
ଅସଲ କଥା ହେଉଛି, ଗତ ଜୁନ୍ ୧୫ ତାରିଖରେ ନୀଳଗିରେ ଏକ ଦନ୍ତାହାତୀର ହତ୍ୟା ସହ ଦାନ୍ତ ଲୁଟ୍ ନେଇ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା । ଆଉ ଏଇ ଅଭିଯୁକ୍ତମାନେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଫାର୍ମ ହାଉସରେ ଲୁଚିଥିଲେ ବୋଲି ଦାବି କରୁଛି ବିଜେଡି । ଏମିତି କି ଏହି ଘଟଣାରେ ମଧ୍ୟ ବିଧାୟକଙ୍କ ସମ୍ପୃକ୍ତି ଅଛି ବୋଲି ପ୍ରେସମିଟ୍ କରିବା ସହ ନୀଳଗିରି ବିଜେପି ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଲେଖାଶ୍ରୀ । ଆଉ ତା’ ପରେ ନୀଳଗିରି ବିଧାୟକ ଲେଖାଶ୍ରୀଙ୍କୁ କରିଛନ୍ତି ପାଲଟା ଆକ୍ରମଣ ।
ହାତୀ ଦାନ୍ତ ଲୁଟ୍ ଘଟଣାରେ ସନ୍ତୋଷ ଖଟୁଆଙ୍କୁ ଟାଣିବା ପରେ, ଲେଖାଶ୍ରୀଙ୍କୁ ଓ୍ୱାର୍ଡମେମ୍ବର ଜିତିନଥିବା ନେତା ବୋଲି କହି ତୀର ମାରିଛନ୍ତି ଖଟୁଆ । ଏମିତି କି ତାଙ୍କୁ ଦେହ ବ୍ୟବସାୟର କିଙ୍ଗ୍ ପିନ୍ ବୋଲି ମଧ୍ୟ କହିଛନ୍ତି । ଯାହାପରେ ଲେଖାଶ୍ରୀ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି ଟୁଇଟ୍ କରିବା ସହିତ ବିଜେପି ବିଧାୟକ ମହିଳା ରାଜନେତାଙ୍କ ବିଷୟରେ ଏମିତି କଥା କେମିତି କହିଲେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।
ନୀଳଗିରିରେ ଏଥର ପଦ୍ମ ଫୁଟିଛି । ଆଉ ବାଲେଶ୍ୱର ଏମପି ଆସନରୁ ଲୋକସଭା ନିର୍ବାଚନରେ ହାରିଯାଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଗୋଟିଏ ପଟେ ବିଜୟୀ ବିଧାୟକ ଆଉ ଅନ୍ୟପଟେ ପରାଜିତ ଏମପି ପ୍ରାର୍ଥୀ । ତେଣୁ ରାଜନୀତିର ଏହି ଛକାପଞ୍ଝା ଭିତରେ କିଏ ଜିତାପଟ ହାସଲ କରୁଛି, ତାହା ଦେଖିବାକୁ ବାକି ରହିଲା ।