କନକ ବ୍ୟୁରୋ;  ୧୮ ତାରିଖରେ ବିଧାନସଭା ଆରମ୍ଭ ହେଲା । କିନ୍ତୁ ଲଗାତାର ଚାଲିପାରୁନି ଗୃହ । ପ୍ରଥମ ଦିନ ଶୋକପ୍ରସ୍ତାବ ପରେ ବିଧାନସଭା ମୁଲତବୀ ହୋଇଥିଲା । ଏବେ ଶୁକ୍ରବାର ଓ ଶନିବାର ଦୁଇଦିନରେ ମାତ୍ର  ୨୩ ମିନିଟ ଚାଲିଛି ଗୃହ । ସାର ସମସ୍ୟାକୁ ନେଇ ବିଜେଡି ହଟ୍ଟଗୋଳ କରୁଛି । ଅନାସ୍ଥା ପ୍ରସ୍ତାବ ପାଇଁ ଅଡିବସିଛି କଂଗ୍ରେସ ।  କାହିଁକି ଚାଲିପାରୁନି ଗୃହ ? ସୋମବାର ଗୃହ ଚାଲିବ ନା ନାହିଁ ? ସରକାର ବିରୋଧୀଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି କି ? ବିଜେଡି ହଟ୍ଟଗୋଳ କରି କାହାକୁ ବଞ୍ଚାଇବାକୁ ଚାହୁଛି? ସରକାର ଆଲୋଚନା ଚାହୁନାହାନ୍ତି କି  ? ଏପରି କିଛି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ୩ ଦଳ ପୁଣି ମୁହାଁମୁହିଁ ହୋଇଛନ୍ତି । ବିଜେଡି, ବିଜେପି ସଲାସୁତୁରା କରି ବିଧାନସଭାକୁ ବନ୍ଦ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।  
 
 ସୋମବାର ଗୃହରେ ବିଜେଡି ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଥିବା ପ୍ରସଙ୍ଗ ଉଠାଇପାରେ । ମଙ୍ଗଳବାର ସମାନ ପ୍ରସଙ୍ଗ ନେଇ ବିଧାନସଭା ଘେରାଉ କରିବ ବୋଲି କହିସାରିଛି ଦଳ । ରାଜନୈତିକ ସମୀକ୍ଷକଙ୍କ ମତରେ ଗୃହକୁ ବାହାରୁ ପରିଚାଳନା କରାଯାଉଛି । ଭିତିର ବୁଝାମଣାରେ ଏଭଳି  ସ୍ଥିତି ଉପୁଜିଛି । ବିଧାନସଭା ଭିତରେ ବିଜେଡିର ରଣନୀତିକୁ ନେତାମାନେ ନାପସନ୍ଦ କରୁଥିବା ବି ଚର୍ଚ୍ଚା ହେଉଛି ।  ୨୫ ତାରିଖ ଯାଏଁ ଚାଲିବ ବିଧାନସଭା । ଏହାରି ଭିତରେ ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି କି ପଦକ୍ଷେପ ନେଉଛନ୍ତି ଓ ବିଜେଡି, କଂଗ୍ରେସ କି ଆଭିମୁଖ୍ୟ ଆପଣାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । 
 

Advertisment