କନକ ବ୍ୟୁରୋ : ମାଳମାଳ ପ୍ରସଙ୍ଗକୁ ନେଇ ବିରୋଧୀ ତୟାର। ୧୭ରୁ ବିଧାନସଭା ଆରମ୍ଭ ହେବା କ୍ଷଣି ସରକାରଙ୍କୁ ନାକେଦମ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ। ଅନ୍ୟପଟେ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ସତର୍କ। ଶାସକ-ବିରୋଧୀଙ୍କ ତୁ ତୁ ମେ ମେ ଭିତରେ ପୂର୍ବଥର ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ହେଲେ ବଜେଟ ଅଧିବେଶନରେ ସେଭଳି ସ୍ଥିତିରୁ ଗୃହକୁ ଦୂରେଇ ରଖିବାକୁ ବାଚସ୍ପତିଙ୍କ ଭରସା ସର୍ବଦଳୀୟ ବୈଠକ। ଆସନ୍ତା ୧୭ ତାରିଖରେ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢ ମାସ ଧରି ଚାଲିବ ଗୃହ। ଜବାବ-ପ୍ରତିଜବାବରେ ଉଠିବ ପଡିବ ବିଧାନସଭା। ମାଳମାଳ ପ୍ରସଙ୍ଗ ଧରି ଡବଲ ଇଞ୍ଜିନ ସରକାରକୁ ଘେରିବାକୁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ସରକାରକୁ ଅକଳରେ ପକାଇବାକୁ ସୁଯୋଗ ଅପେକ୍ଷାରେ ୨ ଦଳ । ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ହଲ୍ଲାବୋଲ କରିବ ବିଜେଡି। ସେହିଭଳି ଆନ୍ତଃରାଜ୍ୟ ବିବାଦ, ନାରୀ ନିର୍ୟାତନା, ଧାନ ସଂଗ୍ରହ, ବେକାରି, ୟୁଜିସି ନୂଆ ନିୟମ, ମିଲର୍ସ ଓ ସରକାରଙ୍କ ମଧୁଚନ୍ଦ୍ରିକା ଓ ଅଙ୍ଗନବାଡ଼ିରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେବ କଂଗ୍ରେସ।
ଅଧିକ ପଢ଼ନ୍ତୁ : ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା କୋଠା ; ନୂଆ ବିଧାନସଭା ତିଆରି ହେଲେ, ମ୍ୟୁଜିୟମ୍ ହେବ ପୁରୁଣା କୋଠା
ବିରୋଧୀଙ୍କ ବିରୋଧ ଭିତରେ ଠିକଣା ଜବାବ ଦେବାକୁ କାଉଣ୍ଟର ରଣନୀତି କରୁଛି ଶାସକ ବିଜେପି। ବିରୋଧୀଙ୍କୁ ମୁକାବିଲା କରିବାକୁ ଦଳ ସଜାଗ ଅଛି ବୋଲି କହିଛନ୍ତି ଶାସକ ଦଳର ବିଧାୟକ। ଅନ୍ୟପଟେ ବଜେଟ ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ଚାହୁଛନ୍ତି ବାଚସ୍ପତି। ଗୃହରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ଆସନ୍ତା ୧୬ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ଏଥର ବିଧାନସଭାର ଚିତ୍ର ଭିନ୍ନ ଦେଖିବାକୁ ମିଳିପାରେ। ପୂର୍ବପେକ୍ଷା ବଳ ହରାଇଛି ବିଜେଡି। ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ଆଭିମୁଖ୍ୟ କଣ ରହିବ? ସେହିଭଳି ସୋଫିଆଙ୍କ ସ୍ବର କଂଗ୍ରେସ ସହ ମିଶୁଛି ନା ଭିନ୍ନ ରହୁଛି ତା ଉପରେ ରହିବ ନଜର।
Follow Us