କନକବ୍ୟୁରୋ: ହିଜବୁଲ୍ଲା ଉପରେ ଇସ୍ରାଏଲର ଘମାଘୋଟ ବୋମା ବର୍ଷା । ଲଗାତର ଆକ୍ରମଣରେ ଥରହର ହୋଇଛି ଲେବାନନ । ପେଜର ଓ ଓ୍ବାକିଟକି ଆକ୍ରମଣ ପରେ ଏବେ ଲେବାନନ ଉପରେ ଘନ ଘନ ଏୟାରଷ୍ଟ୍ରାଇକ କରି ବୋମାବର୍ଷଣ କରିଚାଲିଛି ଇସ୍ରାଏଲ ବାୟୁସେନା । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ବଢ଼ିଚାଲିଛି। ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବଢ଼ିଛି ।

Advertisment

ଲେବାନନରେ ପ୍ରଥମେ ପେଜର ଓ ପରେ ୱାକିଟକିରେ ବିସ୍ଫୋରଣ ଯୋଗୁଁ ହିଜବୁଲ୍ଲା ଗୋଷ୍ଠୀ ବହୁ ସଦସ୍ୟ ମୃତାହତ ହୋଇଛନ୍ତି । ଏହାପରେ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ପଣ କରଛି ହିଜବୁଲ୍ଲା। ସେପଟେ ହିଜବୁଲ୍ଲା ଉପରେ ଆକ୍ରମଣକୁ ଆହୁରି ବଢ଼ାଇ ଦେଇଛି ଇସ୍ରାଏଲ । 

ଲେବାନନରେ ଥିବା ହିଜବୁଲ୍ଲାର ବିଭିନ୍ନ ସାମରିକ ଶିବିରକୁ ଟାର୍ଗେଟ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ ।  ସୁବଠୁ ବଡ଼ କଥା ହେଲା ହିଜବୁଲ୍ଲାର ମୁଖ୍ୟ ଯେତେବେଳେ ଟିଭିରେ ଇସ୍ରାଏଲ ଉପରେ ପ୍ରତିଶୋଧ କଥା କହୁଥିଲେ, ସେମୟରେ ଇସ୍ରାଏଲ ପକ୍ଷରୁ ଲେବାନନରେ ଆକ୍ରମଣ କରାଯାଇଛି। ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରିଛି ଆଇଡିଏଫ । ପେଜର ଏବଂ ୱାକି-ଟକି ବିସ୍ଫୋରଣକୁ ନେଇ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ଏହାର ପ୍ରତିଶୋଧ ନେବା କଥା କହୁଥିଲେ ।

କିନ୍ତୁ ତାଙ୍କ ଭାଷଣ ଶେଷ ହେବା ମାତ୍ରେ ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଥିଲା । ଦକ୍ଷିଣ ଲେବାନନର ଅନେକ ଜନବସତି ସମେତ ହିଜବୁଲ୍ଲା ଠିକଣାକୁ ଟାର୍ଗେଟ କରି ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି । କ୍ଷେପଣାସ୍ତ୍ର ମାଡ଼ କରିବା ସହିତ ଯୁଦ୍ଧ ଆରମ୍ଭ କରିଛି ଇସ୍ରାଏଲ। ଲେବାନନ୍‌ର ରାଜଧାନୀ ବେରୁଟ୍‌ ଉପରେ ମଧ୍ୟ ଇସ୍ରାଏଲର ଯୁଦ୍ଧ ବିମାନ ସୋନିକ ବୋମା ମାଡ଼ କରିଛି ।  

ସେପଟେ ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ ଆକ୍ରମଣ କରାଯାଇଛି । ଇସ୍ରାଏଲୀ ସେନା ଯୁଦ୍ଧବିମାନରୁ ଲେବାନନ୍‌ର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ୍‌ କରିଛି । ବିଶେଷକରି ଦକ୍ଷିଣ ଲେବାନନ୍‌ର ଚିଚିନେ, ତୟିବେ, ମେଇସ୍‌ ଏଲ୍‌ ଜବାଲ, ଅଇଟାରୋନ୍‌ ଏବଂ କେଫରକେଲା ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। 

ଖିଆମ୍‌ସ୍ଥିତ ହିଜବୁଲ୍ଲାର ଏକ ଅସ୍ତ୍ରାଗାର ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ସଦ୍ୟ ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ । ତେବେ ଲେବାନନରୁ କରାଯାଇଥିବା ଆଣ୍ଟି-ଟ୍ୟାଙ୍କ ମିଶାଇଲ ଆକ୍ରମଣରେ ଅନେକ ଇସ୍ରାଏଲୀ ଆହତ ହୋଇଥିବା ଇସ୍ରାଏଲ୍‌ କହିଛି  । ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି, ଯୁଦ୍ଧ ଏକ ନୂଆ ପର୍ଯ୍ୟାୟକୁ ଆଡ଼କୁ ଯାଉଛି  । ଉତ୍ତର ସୀମାକୁ ବହୁ ସେନା ୟୁନିଟ୍‌ ଏବଂ ସମ୍ବଳ ପ୍ରେରଣ କରାଯାଉଛି ।

ଏପରି କି ଗାଜାରେ ଗତବର୍ଷ ଅକ୍ଟୋବରରୁ ଯୁଦ୍ଧ ଚଳାଇଥିବା ସୈନ୍ୟମାନଙ୍କୁ ମଧ୍ୟ ଲେବାନନ୍‌ ସୀମାକୁ ପଠାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ପେଜର ଓ ଓ୍ବାକିଟକି ଭଳି ଯୋଗାଯୋଗ ଉପକରଣ ଜରିଆରେ ଆକ୍ରମଣ ପଛରେ ଇସ୍ରାଏଲ୍‌ର ସ୍ପାଏ ଏଜେନ୍ସି ମୋସାଦ୍‌ର ହାତ ଥିବା କୁହାଯାଉଥିବାବେଳେ ତେଲ୍‌ ଆଭିଭ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଅଦ୍ୟାବଧି ୩୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫,୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି ।

ଲେବାନନ୍‌ ପ୍ରଧାନମନ୍ତ୍ରୀ ନଜିବ ମିକାତି ଇସ୍ରାଏଲ୍‌ର ଆକ୍ରମଣ ଏବଂ ‘ମନସ୍ତାତ୍ତ୍ୱିକ ଯୁଦ୍ଧ’ ରୋକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ଅନୁରୋଧ କରିଛନ୍ତି । ସେପଟେ ହେଜ୍‌ବୋଲ୍ଲା ମଧ୍ୟ ଇସ୍ରାଏଲ୍‌କୁ ଜବାବ ଦେବାକୁ ଯାଇ ଅନେକ ରକେଟ ଛାଡ଼ିଛି । ୨୦୨୩ ଅକ୍ଟୋବର ୭ ପରଠାରୁ ଇସ୍ରାଏଲ୍‌ର ଗାଜା ଆକ୍ରମଣ ଜାରି ରହିଥିବାବେଳେ ହମାସ୍‌ ସମର୍ଥକ ୪୫୦ ହେଜ୍‌ବୋଲ୍ଲା ଫାଇଟର୍ସଙ୍କ ମୃତ୍ୟୁ ଘଟିଲାଣି । ପେଜର ଆକ୍ରମଣରେ ଅନେକ ସଦସ୍ୟଙ୍କୁ ହରାଇଥିବା ଏହି ସଙ୍ଗଠନ ଏବେ ଇସ୍ରାଏଲ୍‌କୁ ଆକ୍ରମଣର ଖୋଲା ଧମକ ଦେଇଛି।
 
ପେଜର ବ୍ଲାଷ୍ଟ ,ୱାକୀ-ଟକୀ ବ୍ଲାଷ୍ଟ ଓ ମୋବାଇଲ ବ୍ଲାଷ୍ଟ କୁ ନେଇ ଚିନ୍ତା ପଡିଥିବା ଲେବାନନ ଏବେ ଜାରୀ କରିଛି ଆଡଭାଇଜାରୀ । ଲେବାନନ ର ବିମାନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯାତ୍ରୀ ମାନେ ବିମାନବନ୍ଦର ରେ ୱାକୀ-ଟକୀ ଓ ପେଜର ବ୍ୟବହାର କରିପାରେବେ ନାହିଁ । ଲେବାନନର ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଆଭିଏସନ ନିର୍ଦ୍ଦେଶ ଦେଇଛି ଯେ ବେରୁଟ୍ ରାଫିକ୍ ହରିରି ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ପେଜର୍ ଏବଂ ୱାକି ଟକି ନେବାକୁ ଅନୁମତି ନାହିଁ । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତର ରହିବ ।

ଯାତ୍ରୀମାନଙ୍କୁ ଏହି ନୂତନ ନିୟମ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି  , କତାର ଏୟାରୱେଜ୍ ମଧ୍ୟ ଏହି ସୂଚନା ଦେଇଛି। ଇସ୍ରାଏଲ ଓ ଲେବାନନ ମଧ୍ୟରେ ବଡ଼ ଯୁଦ୍ଧ ଲାଗିଯିବାର ଭୟ ଦେଖାଦେଇଛି । କାରଣ ଇସ୍ରାଏଲ ଉପରେ ପ୍ରତିଶୋଧ ନିଆଯିବ ବୋଲି ହିଜବୁଲ୍ଲା ଗୋଷ୍ଠୀ ମୁଖ୍ୟ କହିଛନ୍ତି। ଗୋଷ୍ଠୀର ମୁଖ୍ୟ ସାୟଦ ହାସନ ନସରଲ୍ଲାହ କହିଛନ୍ତି, ‘ନିକଟରେ ଇସ୍ରାଏଲ ଦ୍ବାରା କରାଯାଇଥିବା ଆକ୍ରମଣକୁ ଯୁଦ୍ଧ ଘୋଷଣା ଭାବେ ଗ୍ରହଣ କରାଯାଇପାରେ । ଆଉ ଏହାର ଉଚିତ ଜବାବ ଦିଆଯିବ’ ବୋଲି ସେ କହିଛନ୍ତି ।

ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ୍ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ଏହି ଯୁଦ୍ଧରେ ହମାସକୁ ସମର୍ଥନ କରି ଇସ୍ରାଏଲ ଉପରେ ହିଜବୁଲ୍ଲା ଗୋଷ୍ଠୀ ଆକ୍ରମଣ କରୁଛି । ଆଉ ଏହାର କଡ଼ା ଜବାବ ମଧ୍ୟ ଦେଉଛି ଇସ୍ରାଏଲ । ପରଦା ପଛରେ ରହି ଇରାନ ହିଁ ଗୋଟିଚାଳନା କରୁଛି । ଇସ୍ରାଏଲକୁ ଚାରିପଟୁ ଘେରିବାକୁ ଯୋଜନା କରୁଛି ଇରାନ । ଏଥିପାଇଁ ଗୋଟିଏ ପଟୁ ହିଜବୁଲ୍ଲା ଗୋଷ୍ଠୀ, ଅନ୍ୟପଟେ ହୁତି ଗୋଷ୍ଠୀ ଆକ୍ରମଣ କରୁଛନ୍ତି । ଉଭୟ ଗୋଷ୍ଠୀକୁ ସାମରିକ ଆର୍ଥିକ ସହାୟତା ସହ ତାଲିମ ଯୋଗାଇଆସୁଛି ଇରାନ ।