କନକ ବ୍ୟୁରୋ: ଘର ଭିତରେ ଚାଲିଛି ସୁନ୍ଦର ଘରକରଣା ସାମଗ୍ରୀ ପ୍ରସ୍ତୁତି । ଘଣ୍ଟା, ଫୋଟୋ ଫ୍ରେମ୍, ପେପର ୱେଟ୍, ଟି-ପୟ, ଟେବୁଲ ଟପ୍ ଠାରୁ ଆରମ୍ଭ କରି ଅନେକ କିଛି । ନିଜେ ପ୍ରସ୍ତୁତ କରୁଛନ୍ତି, ଅନ୍ୟ ମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ବିଶେଷ କରି ଏପକ୍ସି ରେଜିନ୍ ସହାୟତାରେ ଏମିତି ସୁନ୍ଦର ସୁନ୍ଦର କଳାକୃତି ପ୍ରସ୍ତୁତ କରୁଛନ୍ତି ମହିଳା ।
ନାଁ
ଉମାଶଙ୍କର ରାଓ
ଶିକ୍ଷାଗତ ଯୋଗ୍ୟତା
ଏମ୍ବିଏ, ହୋଟେଲ ମ୍ୟାନେଜମେଣ୍ଟ
ମାଲକାନଗିରି ସହରର ଉମା ଶଙ୍କର ରାଓ ଭୁବନେଶ୍ୱରରେ ଏମବିଏ ଓ ହୋଟେଲ ମ୍ୟାନେଜମେଣ୍ଟ ସାରି ସିଙ୍ଗାପୁର ଏୟାରଲାଇନ୍ସ ପରି ବିଭିନ୍ନ ବେସାମରିକ ବିମାନ କମ୍ପାନିରେ କ୍ୟାଟେରିଙ୍ଗ ମ୍ୟାନେଜର ଭାବେ କାମ କରୁଥିଲେ । ତାଜ୍ ଓ ଓବରୟ ପରି ବଡ ବଡ ହୋଟେଲ ଶିଳ୍ପରେ ମଧ୍ୟ ପ୍ରାୟ ୨ ଦଶକ ଧରି ମ୍ୟାନେଜର ଭାବେ ଦାୟୀତ୍ୱ ତୁଲାଇ ଥିଲେ । ତେବେ ନିଜ ଭିତରେ ଥିବା ଅନ୍ତର୍ନିହିତ କଳା ତାଙ୍କୁ ଏସବୁ ଛାଡିବାକୁ ବାଧ୍ୟ କରିଥିଲା । ଆଉ ମାଲକାନଗିରି ଫେରି ଏସ୍ଏଚ୍ଜି ମହିଳାଙ୍କୁ ଏପକ୍ସି ରେଜିନ୍ ଆର୍ଟ ତାଲିମ ଦେଇ ସେମାନଙ୍କୁ ସ୍ୱବଲମ୍ବୀ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ଉମାଶଙ୍କର ।
ବିଶେଷକରି ଆଦିବାସୀଙ୍କ ଜୀବନି, ଚାଲିଚଲଣକୁ ରେଜିନ୍ ଆର୍ଟ ମାଧ୍ୟମରେ ତୋଳି ଧରିବାକୁ ଲକ୍ଷ୍ୟ ରଖିଛନ୍ତି ଉମା ଶଙ୍କର । ଏଥି ସହ ଆଦିବାସୀ ଅଂଚଳର ଫୁଲ, ଫଳ, ଜଙ୍ଗଲ ଜାତ ଦ୍ରବ୍ୟକୁ ସୁଖେଇ ଏହି ରେଜିନ୍ ଆର୍ଟରେ ସ୍ଥାନ ଦେଉଛନ୍ତି ଉମା ଶଙ୍କର । ଏଥି ସହ ଭଙ୍ଗା ଓ ଅଦରକାରୀ କାଠକୁ ବ୍ୟବହାର କରି ଆଗକୁ ଡାଇନିଙ୍ଗ ଟେବୁଲ, ଟି-ପୟ, ଷ୍ଟୁଲ ଓ ଚେୟାର ପରି ବଡ ବଡ ଫର୍ଣ୍ଣିଚର ପ୍ରସ୍ତୁତ କରିବା ଲାଗି ବନ ବିଭାଗକୁ ଅନୁମତି ମାଗିଛନ୍ତି ଉମା ଶଙ୍କର ।
ସରକାରଙ୍କ ପ୍ରୋତ୍ସାହନ ମିଳିଲେ ଏହି ରେଜିନ ଆର୍ଟ କଳାକୁ କୁଟିରରୁ କ୍ଷୁଦ୍ର କିମ୍ବା ମଧ୍ୟମ ଶିଳ୍ପର ଆକାର ଦେବାକୁ ଲକ୍ଷ୍ୟ ରଖିଛନ୍ତି ଉମାଶଙ୍କର । ଉମାଙ୍କ ଏହି କଳାକୃତି ଏବେ ବିଭିନ୍ନ ମେଳା ମହୋତ୍ସବ ସହ ଆକାଂକ୍ଷା ହାଟ ମାନଙ୍କରେ ମଧ୍ୟ ସ୍ଥାନୀତ କରାଯାଉଛି । ଆଉ ଆଗକୁ ମହିଳା ଏସ୍ଏଚ୍ଜିଙ୍କ ମାଧ୍ୟମରେ ମିଶନ ଶକ୍ତି ହାଟ ସହ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ କରାଇବା ଲାଗି ପ୍ରସ୍ତୁତି ଚଳାଇଛନ୍ତି ଉମାଶଙ୍କର ।