କନକ ବ୍ୟୁରୋ :  ପୂଜା ବୁଲୁଛନ୍ତି ନେତା । ମଣ୍ଡପ ଓ ପେଣ୍ଡାଲରେ ଲାଗୁଛି ନେତାଙ୍କ ଭିଡ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି । ସେହିଭଳି ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତା ଲୋକଙ୍କ ସହ ମିଶି ମଣ୍ଡପରେ ପୂଜାର୍ଚ୍ଚନା ସହ କରୁଛନ୍ତି ମାଙ୍କ ଦର୍ଶନ । ଏବଂ ବିଭିନ୍ନ ପୀଠର ଉନ୍ନତିକରଣ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି ।  

Advertisment

ସାରା ରାଜ୍ୟରେ ମହାନବମୀ ଧୂମଧାମରେ ପାଳନ ହେଉଛି । ପ୍ରବଳ ବର୍ଷା ମଧ୍ୟ ପୂଜା ମାହୋଲକୁ ଫିକା କରିପାରିନି । ସବୁ ମଣ୍ଡପ ଓ ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ଭିଡ । କେବଳ ସାଧାରଣ ଲୋକ ନୁହନ୍ତି ମୁଖ୍ୟମନ୍ତ୍ରୀ ମଧ୍ୟ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ଓଡ଼ିଶାର ସୁଖ ଓ ସମୃଦ୍ଧି ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଦୁର୍ଗାପୂଜାରେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ମଣ୍ଡପ ବୁଲୁଛନ୍ତି ବିଭିନ୍ନ ଦଳର ନେତା । ଝାରସୁଗୁଡ଼ାର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମା ଜଗତ ଜନନୀଙ୍କ ନିକଟରେ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ସୁରେଶ । ସେହିଭଳି କଟକର ବିଭିନ୍ନ ମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଜୟପୁରରେ ବିଧାୟକ ତାରା ବାହିନୀପତି ପ୍ରତିଟି ମଣ୍ଡପ ବୁଲି ମାଙ୍କ ନିକଟରେ ଓଡ଼ିଶାବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଜେଡି ବିଧାୟକ ଧ୍ରୁବ ସାହୁ ମଧ୍ୟ ବିଭିନ୍ନ ମଣ୍ଡପରୁ ମଣ୍ଡପ ବୁଲି ମାଙ୍କୁ ପୂଜା କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । 

ପୂଜା ମଣ୍ଡପ ବୁଲିବା ସହ ଲୋକଙ୍କ ସହ ମିଶୁଛନ୍ତି ବିଭିନ୍ନ ଦଳର ନେତା।