କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡ଼ା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ସରକାରରେ ଥିବାରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କର ନଜର ରହିଛି । ଚର୍ଚ୍ଚା ଆଲୋଚନା ଭିତରେ ବିଜେପିର ଓଡ଼ିଶା ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ପ୍ରାର୍ଥୀ ଚୟନରେ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ତେଣୁ ପୁରୁଣା, ନୂଆ ନା ସରପ୍ରାଇଜ ମୁହଁ ସାମ୍ନାକୁ ଆଣିବ ଦଳ ତାହା ଏବେ ସବୁଠୁ ବଡ଼ ସସପେନ୍ସ ।
ନୂଆପଡ଼ା ଆସନ ବିଜେଡି ଖାତାରେ ଥିବାରୁ ଏହାକୁ ବଜାୟ ରଖିବା ଦଳ ପାଇଁ ଏସିଡ ଟେଷ୍ଟ ଠାରୁ କମ ନୁହେଁ । ଦଳ କ୍ଷମତା ବାହାରେ ଥାଇ ପ୍ରଥମ ଉପ-ନିର୍ବାଚନ ଲଢୁଛି । ହେଲେ ବିଜୟ ନେଇ ଦମ୍ଭୋକ୍ତି ବାଢ଼ିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଫଳାଫଳ କ’ଣ ହେବ ଲୋକ ନିର୍ଣ୍ଣୟ କରିବେ । ଭିନ୍ନ ରଣନୀତି ନେଇ ଆଗକୁ ବଢୁଥିବା କଂଗ୍ରେସ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ପାଇଁ ଆଶାବାଦୀ ରହିଛି । ନୂଆପଡ଼ା ବିଜୟ ପାଇଁ ୩ ଦଳ ଅଣ୍ଟା ଭିଡ଼ିଛନ୍ତି , ୩ ଦଳର ନିଜସ୍ବ ଭୋଟବ୍ୟାଙ୍କ ରହିଛି । ତେଣୁ ନୂଆପଡ଼ା ବାଜି କିଏ ଜିତିବ ? ତାହା ଏବେ ଠୁ କହିବା ମୁସ୍କିଲ ।