କନକ ବ୍ୟୁରୋ: ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି। ଜଣେ ପରେ ଜଣେ ନେତା ଅସନ୍ତୋଷ ଝାଡୁଛନ୍ତି। ସିଧାସଳଖ ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ କରୁଛନ୍ତି। ସବୁବେଳେ ନବୀନଙ୍କ ପାଇଁ ଜବାବ ରଖୁଥିବା ବରିଷ୍ଠ ନେତା ଏ କଥାରେ ସେମିତି କିଛି ପ୍ରତିକ୍ରିୟା ରଖୁନାହାନ୍ତି। ରାଜନୀତି ସମୀକ୍ଷକ କହୁଛନ୍ତି, ଦଳରେ ନବୀନଙ୍କ ପ୍ରତି ନେତାଙ୍କ ଭୟ ନଥିବାରୁ ଏସବୁ ଦେଖିବାକୁ ମିଳୁଛି।  

Advertisment

ଦୀର୍ଘ ୨୭  ବର୍ଷ ପରେ ବଡ ଆହ୍ୱାନରେ ସମ୍ମୁଖିନ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ନବୀନଙ୍କ ହୁକୁମ ଦଳରେ ସର୍ବମାନ୍ୟ ଥିଲା। କେହି  କେବେବି ସ୍ୱର ଉଠାଇବାକୁ ସାହସ ଜୁଟାଇ ପାରୁନଥିଲେ ।  ହେଲେ ନିର୍ବାଚନ ହାରିବା ପରେ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଉଛନ୍ତି ବିଜେଡି ନେତା । ଖୋଦ ନବୀନଙ୍କ ଆଡକୁ ଏବେ ଅଙ୍ଗୁଳି ନିର୍ଦେଶ କରୁଛନ୍ତି । ନିତି  ଅନେକ ନେତା  ବିଶୋଦଗାର କରି ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଉଛନ୍ତି । ବିଜେଡିର ଅନେକ ବରିଷ୍ଠ ନେତା ଚୁପ ବସିଛନ୍ତି । ନବୀନଙ୍କୁ ସୁରକ୍ଷା ଦେବାକୁ କେହି ବି ସିନିୟର ଲିର୍ଡର କାଉଣ୍ଟର କରିବାକୁ ଆସୁନାହାନ୍ତି । 

ବିଧାନସଭା ହେଉ କି ବିଧାନସଭା ବାହାରେ ଦଳର ନେତା ହୁଅନ୍ତୁ କି ବିରୋଧୀ କିଏ ଯଦି ନବୀନଙ୍କୁ କଟାକ୍ଷ କରେ, ବିଜେଡି ପକ୍ଷରୁ ତାର କଡା ଜବାବ ଦିଅଯାଏ। ହେଲେ, ଏବେ କ୍ଷମତାରୁ ହଟିବା ପରେ ଲଗାତାର ଭାବେ ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇ ଚାଲିଛନ୍ତି ନେତା।

ପ୍ରତ୍ୟେକ ଦିନ ଅନେକ ନେତାଙ୍କ ବିଶୋଦଦାର ଦଳକୁ ଅଡୁଆରେ ପକାଉଛି । ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି, ପୂର୍ବଭଳି ନବୀନଙ୍କ ପ୍ରତି ନେତାଙ୍କର ଆଉ ଡର ରହୁନାହିଁ । କ୍ଷମତାରୁ ହଟିବା ଓ ବୟସାଧିକ କାରଣ ଯୋଗୁଁ  ସୁପ୍ରିମୋଙ୍କ ନେତୃତ୍ୱ ପ୍ରତି ଭରସା କରିପାରୁ ନାହାନ୍ତି ନେତା ।

ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ ନବୀନ ଚୁପ୍ ରହିବା ପଛରେ ଅନେକ କିଛି କାରଣ ରହିଛି। କିନ୍ତୁ ବଡ ନେତା ମୁହଁ ନଖୋଲିବା ଚର୍ଚ୍ଚାର ବିଷୟ ପାଲଟିଛି।